ରାଜ୍ୟରେ ଯାତାୟତ ହେବ ସୁବିଧା, ଆମ ବସଷ୍ଟାଣ୍ଡର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
1 min readଭୁବନେଶ୍ୱର : ଓଡିଶାରେ ଯାତ୍ରା ହେବ ସୁଗମ । ପ୍ରତିଟି ସ୍ଥାନରେ ଯାତ୍ରୀ ପାଇବେ ଅତ୍ୟାଧୁନିକ ବସଷ୍ଟାଣ୍ଡର ସୁବିଧା । ଆଜି ରାଜ୍ୟର ୨୬ଟି ଜିଲ୍ଲାରେ ୧୨୪ ଟି ନୂଆ ବସଷ୍ଟାଣ୍ଡର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିଭଳି ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସଷ୍ଟାଣ୍ଡର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଏହାସହ ମୋ ପରିବହନ ସେବା ଓ ଏମ୍ ପରିବହନ ଆପ୍ ସେବାର ଶୁଭରାମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସୁବାହକ ପ୍ରଶିକ୍ଷଣ କେନ୍ଦ୍ରର ଶୁଭ ଉଦଘାଟନ ଓ ଲୋକାର୍ପଣ କରିଛନ୍ତି । ଡ୍ରାଇଭର ମାନଙ୍କୁ ଗାଡି ଚଳାଇବା କ୍ଷେତ୍ରରେ ଅଧିକ ଦକ୍ଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ସୁ-ବାହକ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ୫୦ ହଜାର ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦିଆଯିବ । ଗଞ୍ଜାମର ପାଲୁର ଠାରେ ଏକ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ଉଦ୍ଘାଟନ କରିଥିଲେ । ସଡକ ଓ ସଡକ ବ୍ୟବହାରକରୀ ତଥା ଯାତ୍ରୀ ମାନଙ୍କ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭଲ ପରିବହନ ବ୍ୟବସ୍ଥା ଏକ ଉନ୍ନତ ଅର୍ଥନୀତି ପାଇଁ ମାର୍ଗ ପରିଷ୍କାର କରିଥାଏ । ବିଭିନ୍ନ ସଂସ୍ଥାଗତ ସେବା ତଥା ସ୍କୁଲ, କଲେଜ, ହସ୍ପିଟାଲ ଆଦିର ସୁବିଧା ସହଜରେ ଉପଲବ୍ଧ ହୋଇପାରେ। ଏକ ଗତିଶୀଳ ସାମାଜିକ ଓ ଅର୍ଥନୈତିକ ସମାଜ ଗଠନ ଦିଗରେ ଏହା ଏକ କାଟାଲିଷ୍ଟ (Catalyst) ଭାବରେ କାମ କରିଥାଏ ।
ଲୋକଙ୍କୁ ଉନ୍ନତମାନର ପରିବହନ ସେବା ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରିବହନ ବିଭାଗକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଗତ ୨୩ ବର୍ଷ ଧରି ରାଜ୍ୟରେ ସୁଶାସନର ଧାରା ଅବ୍ୟାହତ ରହିଛି । ଗମନାଗମନର ବିକାଶ ପାଇଁ ରାଜ୍ୟରେ ସଡକ ପରିବହନ ସହିତ ରେଳ ଓ ଆକାଶମାର୍ଗରେ ପରିବହନର ବିକାଶ ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ । ପୁରୀ ଠାରେ ଇଲ୍କ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସୋନପୁର ଠାରେ ସଂସଦୀୟ ବ୍ୟାପାର ଓ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ପରିବହନ ବ୍ୟବସ୍ଥା ଓ ବସ୍ଷ୍ଟାଣ୍ଡ ଭିତ୍ତିଭୂମି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଚପ୍ରଶଂସା କରିଥିଲେ । 5T ସଚିବ ଭି କେ ପାଣ୍ଡିଆନ୍ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓ.ଏସ୍.ଆର.ଟି.ସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।