ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ଅଘଟଣ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

1 min read

ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଘଟିଥିବା ଅଘଟଣ ପାଇଁ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆହତମାନଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବା ସହ ବ୍ୟବସ୍ଥାର ତଦାରଖ ପାଇଁ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆହତମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯିବ। ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସୂଚନା ଅନୁଯାୟୀ, ବାଣ ନିଆଁ ପଡି ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ୨୭ରୁ ଅଧିକ ଶ୍ରଦ୍ଧାଳୁ ଆହତ। ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବା ସମୟରେ ବାଣ ଫୁଟାଯାଉଥିଲା l ବାଣ ଫୁଟି ନିଆଁ ଲୋକଙ୍କ ନିକଟରେ ପଡିଥିଲା l ଫଳରେ ୨୭ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ କିଛି ଶିଶୁ ରହିଥିବା ଜଣାପଡିଛି l ଆହତ ବ୍ୟକ୍ତି ଓ ଶିଶୁଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏକା ସଂଗେ ଅଧିକ ବାଣ ଫୁଟିବାରୁ ଘଟିଥିଲା ଅଘଟଣ। ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି ପୁରୀ ଜିଲ୍ଲାପାଳ।