ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ମୋଟ ପାସ୍ ହାର ୯୦.୫୫ପ୍ରତିଶତ

1 min read

କଟକ: ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ ଆନୁଷ୍ଠାନିକ ଭାବରେ ଫଳ ଘୋଷଣା କରିଥିଲେ । ଚଳିତ ବର୍ଷ ମୋଟ ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୫ ଲକ୍ଷ ୧୭ ହଜାର ୮୪୭ ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ ୮ ହଜାର ୬୯୯ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହୋଇଛନ୍ତି । ମୋଟ ପାସ୍ ହାର ୯୦.୫୫ ପ୍ରତିଶତ ରହିଛି  । ତେବେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ଛାତ୍ରୀଙ୍କ ପାସ୍ ହାର ୯୨.୩୭ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସ୍ ରହିଛି ୮୮.୭୭ ପ୍ରତିଶତ ।

ଚଳିତ ବର୍ଷ ସମୁଦାୟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ବିଦ୍ୟାର୍ଥୀ ମାଟ୍ରିକ ପରିକ୍ଷା ଦେବା ପାଇଁ ଫର୍ମ ପୂରଣ କରିବା ବେଳେ ୫ ଲକ୍ଷ ୨୬ ହଜାର ୮୧୮ ଜଣ ପରୀକ୍ଷା ଦେଇଥିଲେ  । ୧୧୭୦ଟି ବିଦ୍ୟାଳୟର ଶତପ୍ରତିଶତ ବିଦ୍ୟାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ୩ ବିଦ୍ୟାଳୟର କୌଣସି ଛାତ୍ରଛାତ୍ରୀ କୃତ କାର୍ଯ୍ୟ ହୋଇପାରି ନାହାନ୍ତି ।

ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା । ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କର ଉଦ୍ୟମ ପ୍ରଶଂସନୀୟ । ଆଶାତୀତ ଫଳାଫଳ ପାଇନଥିବା ଛାତ୍ରଛାତ୍ରୀ ମାର୍କ ନିର୍ବିଶେଷରେ ସର୍ବଦା ଆଗକୁ ବଢ଼ିବାର ଇଚ୍ଛା ନେଇ ଆତ୍ମବିଶ୍ୱାସର ସହ କଠୋର ପରିଶ୍ରମ ଜାରି ରଖନ୍ତୁ ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।