ସାଧାରଣ ନିର୍ବାଚନକୁ ନେଇ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଡ଼ାକି ସର୍ବଦଳୀୟ ବୈଠକ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର : ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ନେଇ ସର୍ବଦଳୀୟ ବୈଠକ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ବୈଠକରେ ନିର୍ବାଚନ ସମ୍ପର୍କିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶାବଳୀ ସମ୍ପର୍କରେ ଆଲୋଚନା କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳଙ୍କ ଆଲୋଚନା ପରେ ନିର୍ବାଚନ ଇସ୍ତାହାର ପାଇଁ ନିୟମ ପ୍ରଣୟନ କରିଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସର୍ବଦଳୀୟ ବୈଠକରେ ପ୍ରକାଶ କରିଛନ୍ତି । ନିର୍ବାଚନ ଆୟୋଗଙ୍କ ଦ୍ବାରା ପ୍ରଣୟନ କରାଯାଇଥିବା ନିୟମ ଆଦର୍ଶ ଆଚରଣବିଧି ପୁସ୍ତିକାରେ ସ୍ଥାନ ପାଇବ । ଏହା ଫଳରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ମାର୍ଗଦର୍ଶନ ପାଇପାରିବେ । ସେହିପରି ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷୀପ୍ତ ସଂଶୋଧନ ଉପରେ ମଧ୍ୟ ଆଲୋଚନା ହୋଇଛି । ଆସନ୍ତାକାଲି ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ।
ପ୍ରକାଶ ପାଇଥିବା ଥିବା ଭୋଟର ତାଲିକା ୨୦୨୪ ଅନୁସାରେ, ରାଜ୍ୟରେ ମୋଟ୍ ଭୋଟରଙ୍କ ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ଜଣ । ସେଥି ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ଜଣ ଥିବା ବେଳେ, ମହିଳା ଭୋଟରଙ୍କ ସଂଖ୍ୟା ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ଜଣ । ତୃତୀୟ ଲିଙ୍ଗ ଭୋଟରଙ୍କ ସଂଖ୍ୟା ରହିଛି ୩ ହଜାର ୩୮୦ । ରାଜ୍ୟରେ ୧୮ରୁ ୧୯ ବର୍ଷ ମଧ୍ୟରେ ଥିବା ଯୁବ ଭୋଟରଙ୍କ ସଂଖ୍ୟା ୭ ଲକ୍ଷ ୫୪ ହଜାର ୯୪୬ ରହିଛି । ମୋଟ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ରହିଛି ୪ ଲକ୍ଷ ୫୭ ହଜାର ୮୨୧ । ନୂଆ ଭୋଟର ତାଲିକା ୨୦୨୪ରେ ମୋଟ ୧୨ ଲକ୍ଷ ୯୭ ହଜାର ୯୫୪ ଜଣ ଭୋଟର ଯୋଡି ହୋଇଛନ୍ତି ।