ବିଳାସପୁର ହସ୍ପିଟାଲରେ ପହଞ୍ଚିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ରାହୁଲର ସ୍ୱାସ୍ଥ୍ୟବସ୍ଥାର କଲେ ସମୀକ୍ଷା

ବିଳାସପୁର: ଆପୋଲୋ ହସ୍ପିଟାଲରେ ରାହୁଲ ସ୍ୱାସ୍ଥ୍ୟବସ୍ଥାର ସମୀକ୍ଷା କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ଡାକ୍ତରୀ ଟିମ୍ ସହିତ ଆଲୋଚନା କରି ଚିକିତ୍ସା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାହୁଲଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ରାହୁଲଙ୍କ ପରିବାର ସହିତ ମଧ୍ୟ ଆଲୋଚନା କରିଛନ୍ତି ଭୂପେଶ ବାଘେଲ । ରାହୁଲଙ୍କ ପରିବାର ଲୋକଙ୍କ ସହ ସଂପର୍କୀୟ ହସ୍ପିଟାଲରେ ଉପସ୍ଥିତ ରହିଛନ୍ତି ।

ତେବେ ରାହୁଲ ଏବେ ସୁସ୍ଥ ଥିବା ସୂଚନା ମିଳିଛି । ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା କଥା, ରାହୁଲର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି, ପୂର୍ବାପେକ୍ଷା ଭଲ ଅଛି । କିନ୍ତୁ ଶରୀରରେ ଇନଫେକ୍ସନ ହୋଇଛି । ଦିଲ୍ଲୀ ଇନ୍ଦ୍ରପ୍ରସ୍ତ ଆପୋଲୋ ହସ୍ପିଟାଲ ସହ ସହ ଆଲୋଚନା ଚାଲିଛି । ଆହୁରି କିଛି ଯାଞ୍ଚ ରିପୋର୍ଟ ଆସିବା ବାକି ରହିଛି । ପାଣିରେ ରହିବା ପରେ ରାହୁଲର ରକ୍ତ ମଧ୍ୟ ସଂକ୍ରମିତ ହୋଇଛି । ୨ରୁ ୩ ଦିନ ମଧ୍ୟରେ ରାହୁଲର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସଠିକ ତଥ୍ୟ ଦେଇ ହେବ ବୋଲି ଡାକ୍ତର କହିଛନ୍ତି । ସପ୍ତାହେ ପର୍ଯ୍ୟନ୍ତ ଚିକିତ୍ସା ଚାଲିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । ସେପଟେ ପୁଅକୁ ପାଇ ଏବେ ପରିବାରରେ ଖୁସିର ମାହୋଲ । ରାହୁଲକୁ ୧୦୪ ଘଣ୍ଟାର ରେସ୍କ୍ୟୁ ଅପରେସନ ପରେ ବୋରଓ୍ୱେଲରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା ।