ଆଜି ବସିବ ଛତିଶା ନିଯୋଗ ବୈଠକ, ଶ୍ରୀଗୁଣ୍ଡିଚା ଯାତ୍ରା ସହ ଶ୍ରୀଜିଉଙ୍କ ନୀତିକାନ୍ତିରେ ବାଜିବ ମୋହର

ପୁରୀ: ଆଜି ବସିବ ଛତିଶା ନିଯୋଗ ବୈଠକ । ନୀଳାଦ୍ରି ଭକ୍ତ ନିବାସରେ  ଦିନ ୧୨ଟାରେ ଏହି ବୈଠକ ବସିବ । ପ୍ରଥମେ ବିଶେଷକରି ରାଜେନ୍ଦ୍ରା ଭିଷେକ, ରୁକ୍ମିଣୀ ହରଣ ଏକାଦଶୀ, ଚମ୍ପକ ଦ୍ୱାଦଶୀ, ଦଇତାପତି ପ୍ରବେଶ, ସେନାପଟା ଲାଗି, ଦେବସ୍ନାନ ପୂର୍ଣ୍ଣିମା, ଚକାବିଜେ, ଖଳିଲାଗି ଏକାଦଶୀ, ରାଜପ୍ରସାଦ ବିଜେ, ଘଣାଲାଗି ଓ ବନକଲାଗି, ନବଯୌବନ ଦର୍ଶନ ସହ ଶ୍ରୀଗୁଣ୍ଡିଚା ଯାତ୍ରା, ସନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା, ସୁନାବେଶ ଓ ନୀଳାଦ୍ରି ବିଜେ ନୀତିରେ ଛତିଶା ନିଯୋଗ ମାରିବ ମୋହର । ଯେହେତୁ ଦୁଇବର୍ଷ ପରେ ରଥଯାତ୍ରାରେ ଭକ୍ତ ସାମିଲ ହେବାକୁ ଯାଉଛନ୍ତି । ନୀତି ଶୃଙ୍ଖଳିତ ସାଙ୍ଗକୁ ଯାତ୍ରାକୁ ଶୃଙ୍ଖଳିତ କରିବା ପ୍ରସଙ୍ଗରେ ହେବ ଆଲୋଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାକୁ ଥିବା ବେଳେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ କର୍ମଚାରୀ ଓ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।

ଅନ୍ୟପଟେ ଆଜି ଜ୍ୟେଷ୍ଠ କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ । ଦତ୍ତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିବେ । ପାରମ୍ପରିକ ରଙ୍ଗ ଯଥା ହରିତାଳ, ପ୍ରିୟଙ୍ଗୁ, ହିଙ୍ଗୁଳ, କଳା, ଧଳା, ନାଲି ଆଦି ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ।