ରାଜ୍ୟ କଂଗ୍ରେସକୁ ଘାରିଛି ଘର ସଜଡ଼ା ଚିନ୍ତା, ଲୋକଙ୍କ ବିଶ୍ୱାସ ଜିତିବାକୁ ମାନସମନ୍ଥନ

ଭୁବନେଶ୍ୱର: କାହିଁକି ରସାତଳକୁ ଗଲା କଂଗ୍ରେସ ସଂଗଠନ ? କ’ଣ କଲେ ତୃଣମୂଳସ୍ତରରେ ପୁଣି ଉଠିବ ହାତ ? ସମୟ କମ୍‌, ଚ୍ୟାଲେଞ୍ଜ୍‌ ଅଧିକ । ୨୦୨୪ରେ ଭଲ ପ୍ରଦର୍ଶନ ପାଇଁ କଂଗ୍ରେସ ନେତାଙ୍କ ମାନସମନ୍ଥନ । ଗାଁ ଗାଁରେ ସଂଗଠନକୁ ମଜଭୁତ କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦଳର ହେଭିଓ୍ବେଟ୍‌ ଏକାଠି ହୋଇଛନ୍ତି । ବିଧାୟକ, ପୂର୍ବତନ ବିଧାୟକ, ପୂର୍ବତନ ପିସିସି ସଭାପତି, ସଂଗଠନର ବିଭିନ୍ନ ପଦ ପଦବୀରେ ଥିବା ନେତା ଏକାଠି ବସି ଲମ୍ବା ରୋଡମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି । ୯ ରୁ ୯୦ ମିଶନକୁ ସଫଳ କରିବା ପାଇଁ ଦଳ ବହୁ କାର୍ଯ୍ୟକ୍ରମ ହାତକୁ ନେଇଥିବା ପିସିସି ସଭାପତି କହିଛନ୍ତି ।

୨୦୦୦ ମସିହାରେ ରାଜ୍ୟରେ କଂଗ୍ରେସର ଭୋଟ୍‌ ହାର ୩୩.୮ ପ୍ରତିଶତ ଥିଲା । ୨୦୨୩ରେ ଏହା ୯.୬ ପ୍ରତିଶତକୁ କମିଛି । ଗତ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ୮ଟି ଉପନିର୍ବାଚନରେ କେବଳ ବ୍ରଜରାଜନଗରକୁ ଛାଡ଼ି କଂଗ୍ରେସ ସବୁଠି ଅମାନତ ହରାଇଛି । ଏପରି ସ୍ଥିତିରେ ତୃଣମୂଳସ୍ତରରେ ସଂଗଠନକୁ ମଜଭୁତ କରିବା ପାଇଁ ନେତାଙ୍କୁ ଚିନ୍ତା ଘାରିଛି ।

୨୦୧୯ରେ ବିଧାନସଭା ନିର୍ବାଚନରେ ଏକ ଅଙ୍କରେ ସୀମିତ ଥିବା କଂଗ୍ରେସ ୨୦୨୪ରେ ଭଲ ପ୍ରଦର୍ଶନ ପାଇଁ ସମରସଜ୍ଜା ଆରମ୍ଭ କରଛି । ତେବେ ଉପର ସ୍ତରର ନିଷ୍ପତ୍ତି ଗ୍ରାଉଣ୍ଡରେ କାର୍ଯ୍ୟକାରୀ କରିବା ମଙ୍ଗୁଆଳଙ୍କ ପାଇଁ ଚ୍ୟାଲେଞ୍ଜ୍‌ ବୋଲି ରାଜନୈତିକ ସମୀକ୍ଷକ କହିଛନ୍ତି ।