ରାଉରକେଲାକୁ କେନ୍ଦ୍ରର ଅଣଦେଖା, ସହରର ESIC ମଡେଲ ହସ୍ପିଟାଲରୁ ଏକାସାଙ୍ଗରେ ୧୫ ଜଣଙ୍କୁ ବଦଳି

1 min read

ରାଉରକେଲା: ରାଉରକେଲା ପ୍ରତି ଅଣଦେଖା କରୁଛି କେନ୍ଦ୍ର । ଏୟାରପୋର୍ଟ ହେଉ କି ରେଳ । ସବୁଥିରେ କେନ୍ଦ୍ର ଅବହେଳା ପ୍ରଦର୍ଶନ କରି ଆସିଛି । ଏବେ ସହରର ESIC ମଡେଲ ହସ୍ପିଟାଲରୁ ୧୫ ଜଣଙ୍କ ଏକାସାଙ୍ଗରେ ବଦଳି କରାଯାଇଛି । ୫୦ ବେଡର ଏହି ହସ୍ପିଟାଲ ଉପରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ ଜିଲ୍ଲା ସହିତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ESIC କାର୍ଡଧାରୀ ଶ୍ରମିକ ନିର୍ଭର କରନ୍ତି । ଏଠାରେ ୧୨ ଜଣ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଛନ୍ତି । ୨୬ ଜଣ ମେଡିକାଲ ଅଫିସରଙ୍କ ଆବଶ୍ୟକତା ରହିଥିବା ବେଳେ ଅଛନ୍ତି ମାତ୍ର ୧୪ ଜଣ । ତେବେ ୭ ଜଣ ବିଶେଷଜ୍ଞ ଓ ୮ ଜଣ ଅଫିସରଙ୍କୁ ବଦଳି କରାଯାଇଛି । ଯାହାକୁ ନେଇ ଶ୍ରମିକ ସଂଘଠନ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ନୂଆ ଡାକ୍ତରଙ୍କୁ ନିଯୁକ୍ତି ନ ମିଳିବା ଯାଏଁ ବଦଳି ଡାକ୍ତରଙ୍କୁ ଛଡ଼ାଯିବ ନାହିଁ ବୋଲି ସଂଗଠନ ଚେତାବନୀ ଦେଇଛି ।

ରାଉରକେଲା ESIC ମଡେଲ ହସ୍ପିଟାଲରେ ଖାଲିଥିବା ଡାକ୍ତର ପଦବୀ କେନ୍ଦ୍ର ବିଜେପି ସରକାର ପୁରଣ କରିବା ବଦଳରେ ୧୫ ଜଣ ଡାକ୍ତରଙ୍କୁ ଏକ ସମୟରେ ବଦଳି କରିଥିବାରୁ ରାଉରକେଲା ପ୍ରତି କେନ୍ଦ୍ର ବିଜେପି ସରକାର ଅବହେଳା କରୁଥିବା କଂଗ୍ରେସ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଖାଲିଥିବା ସମସ୍ତ ଡାକ୍ତର ପଦବୀ ପୂରଣ ନକରି ଡାକ୍ତରଙ୍କ ବଦଳି କଲେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ବିଭିନ୍ନ ଶ୍ରମିକ ସଂଗଠନ ଚେତାବନୀ ଦେଇଛନ୍ତି ।