ରାଜ୍ୟରେ ଶୁଦ୍ଧ ପାନୀୟଜଳ ଯୋଗାଣରେ କେନ୍ଦ୍ର ବାଧକ, ଦେଉନାହିଁ ପାଣ୍ଠି

1 min read

ଭୁବନେଶ୍ୱର: ରାଜ୍ୟରେ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ କେନ୍ଦ୍ର ସାଜିଛି ବାଧକ । ଓଡ଼ିଶାକୁ କେନ୍ଦ୍ର ସରକାର ଆର୍ଥିକ ସହଯୋଗ କରୁନାହାନ୍ତି । ଓଡ଼ିଶାକୁ ତା’ର ହକ୍ ଦେଉନାହନ୍ତି ବୋଲି ବିଧାନସଭାରେ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ରାଜ୍ୟରେ ବୃହତ ପାନୀୟ ଜଳ ପ୍ରକଳ୍ପ ନେଇ ବିଧାନସଭାରେ ଆଜି ସରଗରମ ଆଲୋଚନା ହୋଇଥିଲା । ପ୍ରକଳ୍ପ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ନେଇ ସରକାରୀ ଦଳ ଓ ବିରୋଧୀ ଦଳ ସଦସ୍ୟମାନେ ପ୍ରଶ୍ନ କରିଥିଲେ । ଉତ୍ତରରେ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, କୋଭିଡ-୧୯ ଓ ଜମି ଅଧିଗ୍ରହଣ ପାଇଁ କାମ ବିଳମ୍ବ ହୋଇଛି । ରାଜ୍ୟର ୩୧୪ ବ୍ଲକରୁ ୧୬୦ ବ୍ଲକରେ ୧୧୦ଟି ବୃହତ ପାନୀୟ ଜଳ ପ୍ରକଳ୍ପ ପାଇଁ ୨୦୧୯ ଡିସେମ୍ବର ୩ରେ ମୁଖ୍ୟମନ୍ତ୍ରୀ ଶୁଭ ଦେଇଥିଲେ ।

ଏହି ୧୧୦ଟି ପ୍ରକଳ୍ପ ପାଇଁ ୩୨୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ଏହି ୧୧୦ଟି ପ୍ରକଳ୍ପ ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବା କଥା । କିନ୍ତୁ ୧୨ଟି ବ୍ଲକରେ ୯ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି । କୋଭିଡ ପାଇଁ ପ୍ରକଳ୍ପ ବିଳମ୍ବ ହୋଇଥିବା ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଏସବୁ ପ୍ରକଳ୍ପ ୧୫ ଡିସେମ୍ବର ୨୦୨୨ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଛି । ଏହି ପ୍ରସଙ୍ଗରେ ବିଧାୟକ ଅମର ଶତପଥୀ, ତାରାପ୍ରସାଦ ବାହିନୀପତି, ନରସିଂହ ମିଶ୍ର ପ୍ରମୁଖ ବିଧାନସଭାରେ ବିଭିନ୍ନ ପ୍ରଶ୍ନ କରିଥିଲେ ।