ବିଜେଡିର ମହିଳା ଦିବସରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, କହିଲେ ଗରିବ ଥାଳିରୁ କେନ୍ଦ୍ର କାଟିଛି ୫ କେଜି ଚାଉଳ

1 min read

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳ ପକ୍ଷରୁ ଭୁବନେଶ୍ୱରରେ ଆଜି ପାଳିତ ହୋଇଛି ରାଜ୍ୟସ୍ତରୀୟ ମହିଳା ଦିବସ । ଏଥିରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ବିଜୁ ଜନତା ଦଳର ଲକ୍ଷ ଲକ୍ଷ କର୍ମୀ ମା’ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟସ୍ତରୀୟ ମହିଳା ଦିବସରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ମହିଳା ସଶକ୍ତିକରଣ ବିଜୁ ଜନତା ଦଳର ମୁଖ୍ୟ ଫୋକସ୍ । ଆମର ପ୍ରିୟ ନେତା ବିଜୁ ବାବୁ ଓଡ଼ିଶା ନୁହେଁ, ସାରା ଭାରତରେ ମହିଳା ସଶକ୍ତିକରଣ ପାଇଁ ନୂଆ ରାସ୍ତା ଦେଖାଇଥିଲେ । ଆଜି ଓଡ଼ିଶା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ ହୋଇପାରିଛି । ପଞ୍ଚାୟତ ଓ ପୌରାଞ୍ଚଳରେ ମହିଳାଙ୍କ ପାଇଁ ୩୩ ପ୍ରତିଶତରୁ ସ୍ଥାନ ସଂରକ୍ଷଣକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି ବିଜେଡି । ସଂସଦ ଓ ବିଧାନସଭାରେ ମା’ମାନଙ୍କ ପାଇଁ  ୩୩ ପ୍ରତିଶତ ସଂରକ୍ଷଣ ଦେବା  ପାଇଁ  ବିଜୁ ଜନତା ଦଳ ତା’ର ଲଢେଇ ଜାରି ରଖିବ ।

ଆମ ସରକାର ଲୋକଙ୍କୁ ଦେଇଥିବା କିଛି ବି ସୁବିଧା ବନ୍ଦ କରି ନାହିଁ । କିନ୍ତୁ କେନ୍ଦ୍ର ସରକାର ଗରିବ ଲୋକଙ୍କ ଚାଉଳରୁ ୫ କେଜି କାଟିଦେଲେ । ସେହିପରି LPG ଦର ଏବେ ଆକାଶଛୁଆଁ ହେଲାଣି । ଚାଉଳ କାଟିବା ଓ LPG ଦର ବୃଦ୍ଧି ଯୋଗୁଁ ଆମର ମା’ମାନେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି । ମୁଁ କେନ୍ଦ୍ରର ଏଭଳି ମହିଳା ବିରୋଧୀ ପଦକ୍ଷେପକୁ କଡ଼ା ନିନ୍ଦା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ମା’ମାନଙ୍କ ଆତ୍ମବିଶ୍ବାସ ବୃଦ୍ଧି କରିଛି । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ମା’ମାନେ ଏକ ସଫଳ କାର୍ଯ୍ୟକ୍ରମ ଭାବେ ଗଢ଼ିଛନ୍ତି । SHGରୁ ସେମାନେ ଏବେ ଉଦ୍ୟୋଗୀ ହେବାର ନୂଆ ଯାତ୍ରା ଆରମ୍ଭ କରିଛନ୍ତି । ମା’ମାନେ ସଶକ୍ତ ହୁଅନ୍ତୁ, ସଫଳ ହୁଅନ୍ତୁ ଓ ସେମାନଙ୍କ ଦକ୍ଷତା ନୂଆ ଓଡ଼ିଶାର ପରିଚୟ ହେଉ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।