ସ୍ୱାସ୍ଥ୍ୟ ଭଳି ସମ୍ବେଦନଶୀଳ ବିଷୟରେ ରାଜନୀତି କରୁଛି କେନ୍ଦ୍ର

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଭଳି ସମ୍ବେଦନଶୀଳ ବିଷୟରେ ରାଜନୀତି କରୁଛି କେନ୍ଦ୍ର । ଓଡ଼ିଶାରେ କେତୋଟି ନୂଆ ଆୟୁଷ ଡାକ୍ତରଖାନା ଖୋଲିବ, ସେନେଇ ଲୋକସଭାରେ ପ୍ରଶ୍ନ କରିଥିଲେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି । ଏହାର ଜବାବ ଦେଇଛନ୍ତି ଆୟୁଷ ବିଭାଗ ମନ୍ତ୍ରୀ ସର୍ବାନନ୍ଦ ସନୋଓ୍ବାଲ । ସେ କହିଛନ୍ତି ଯେ ଓଡ଼ିଶାରେ ୩ଟି ନୂଆ ଆୟୁଷ ଡାକ୍ତରଖାନା ଖୋଲାଯିବାର ପ୍ରସ୍ତାବ ଅଛି ।  ଢେଙ୍କାନାଳ , ବ୍ରହ୍ମପୁର ଓ ବାଲେଶ୍ୱରରେ ଆୟୁଷ ଡାକ୍ତରଖାନା ଖୋଲିବା ନେଇ ପ୍ରସ୍ତାବ ରହିଛି । କିନ୍ତୁ ଏ ପ୍ରସ୍ତାବ କାର୍ଯ୍ୟକାରୀ ହେବକି ନାହିଁ  ତାହା ସଂସୟ ସୃଷ୍ଟି କରୁଛି ।

ସବୁଠୁ ବଡ଼ କଥା ହେଉଛି ଆସାମରେ ୮ଟି, ଛତିଶଗଡ଼ରେ ୯ଟି, ଜାମୁକାଶ୍ମୀରରେ ୫ଟି, ଝାରଖଣ୍ଡରେ ୭ଟି, ମଣିପୁରରେ ୧୧ଟି, ଉତ୍ତର ପ୍ରଦେଶରେ ୨୬ଟି ଆୟୁଷ ଡାକ୍ତରଖାନାର ପ୍ରସ୍ତାବ ଥିବା ବେଳେ ଓଡ଼ିଶାରେ ମାତ୍ର ୩ଟିର ପ୍ରସ୍ତାବ ଅଛି । ଏହି ପରିସ୍ଥିତିରେ ଏ ତିନୋଟି ଆୟୁଷ ଡାକ୍ତରଖାନା କେବେ ଆରମ୍ଭ ହେବ କେହି ଜାଣିନାହାନ୍ତି ।  ସ୍ୱାସ୍ଥ୍ୟ ଭଳି ସମ୍ବେଦନଶୀଳ ବିଷୟରେ କେନ୍ଦ୍ର ସରକାର କାହିଁକି ରାଜନୀତି କରୁଛନ୍ତି ବୋଲି ପ୍ରଶ୍ନ ଉଠିଛି ।