କେନ୍ଦ୍ରର ଚାଷୀ ମାରଣ ନୀତି, ଧାନ ସବସିଡି ଅର୍ଥ ଦେଉନାହିଁ କେନ୍ଦ୍ର

ଭୁବନେଶ୍ୱର: ସହଯୋଗ କରୁନି କେନ୍ଦ୍ର । ନାଁ ଦେଉଛି ବକେୟା ଅର୍ଥ, ନାଁ ଉଠାଉଛି ଚାଉଳ । ଧାନ କିଣା ସବସିଡି ବାବଦକୁ କେନ୍ଦ୍ର ଉପରେ ରାଜ୍ୟର ୧୧ ହଜାର କୋଟିରୁ ଅଧିକ ଟଙ୍କା ବକେୟା ପଡ଼ିଛି । ବର୍ଷ ବର୍ଷ ଧରି ରାଜ୍ୟ ସରକାର କେନ୍ଦ୍ର ପାଖରେ ଦାବି କରୁଥିଲେ ମଧ୍ୟ କେନ୍ଦ୍ର ଏଥିପ୍ରତି କର୍ଣ୍ଣପାତ କରୁନାହିଁ । ବକେୟା ନଦେବା ଠାରୁ ବଳିଯାଇଛି ଏଫସିଆଇର ଚାଉଳ ଉଠାଣରେ ମନମାନି । ଏଫସିଆଇ ଚୁକ୍ତି ମୁତାବକ ଚାଉଳ ଉଠାଉନଥିବାରୁ ଏହାର ପ୍ରଭାବ ସିଧାସଳଖ ଚାଷୀଙ୍କ ଉପରେ ପଡ଼ୁଛି  । ଯାହାକୁ ନେଇ କେନ୍ଦ୍ର ବିରୋଧରେ ପ୍ରତିବାଦର ସ୍ବର ଉଠାଇଛି ରାଜ୍ୟ । କେନ୍ଦ୍ର ଚାଷୀ ମାରଣ ନୀତି ଯୋଗୁଁ ରାଜ୍ୟ ସରକାର ଋଣ କରି ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଥିବା ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ଅନ୍ୟପଟେ ରାଜ୍ୟର ଚାଷୀଙ୍କ ପ୍ରତି କେନ୍ଦ୍ରର ଲଗାତର ଅବହେଳାକୁ ନେଇ ବର୍ଷିଛନ୍ତି ବରିଷ୍ଠ  କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ତୁରନ୍ତ କେନ୍ଦ୍ର ସରକାର ଚାଷୀଙ୍କ ପ୍ରାପ୍ୟ ଦିଅନ୍ତୁ ବୋଲି ସୁର ଯୋଗାଣ ମନ୍ତ୍ରୀଙ୍କ ସ୍ବରରେ ସ୍ବର ମିଳାଇଛନ୍ତି ।

ସେପଟେ ମୌସୁମୀ ରାଜ୍ୟରେ ସକ୍ରିୟ ହେବା ପରେ ଚାଷୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଅଣ୍ଟା ଭିଡ଼ିଛି କୃଷି ବିଭାଗ । ରାଜ୍ୟର ୨ଟି ଜିଲ୍ଲାକୁ ଛାଡ଼ିଦେଲେ ପ୍ରାୟ ସବୁ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି । ତେଣୁ ଚାଷ କାର୍ଯ୍ୟରେ କୌଣସି ବ୍ୟାଘାତ ସୃଷ୍ଟି ହେବ ନାହିଁ ବୋଲି କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀ କହିଛନ୍ତି । ଲଗାତର ଭାବେ ରାଜ୍ୟ ସରକାର ସ୍ଥିତି ଉପରେ ନଜର ରଖିବା ସହ ସ୍ବତନ୍ତ୍ର ବିହନ ପଲିସି ମାଧ୍ୟମରେ ଚାଷୀମାନଙ୍କୁ ଆବଶ୍ୟକ ବିହନ ଓ ସାର ଯୋଗାଣ ଉପରେ ଗୁରୁତ୍ବ ଦେଇଛନ୍ତି । ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରି ଅନ୍ନଦାତାଙ୍କ ହାତମୁଠାକୁ ଟାଣ କରୁଛନ୍ତି । ଅନ୍ୟପଟେ ଏମଏସପି ନକରିବା, ଧାନ ସବସିଡି ବକେୟା ଅର୍ଥ କେନ୍ଦ୍ର ଉପରେ ବଢିବଢି ଚାଲିବା, ଆବଶ୍ୟକ ସାର ଯୋଗାଇ ନଦେବା, ଏଫସିଆଇ ଚାଉଳ ନଉଠାଇବା ପରି ନୀତି ଅବଲମ୍ବନ କରି ଚାଷୀଙ୍କ ସିଧାସଳଖ ହାଇରଣ କରୁଛି କେନ୍ଦ୍ର । ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ତେଜିବାରେ ଲାଗିଛି ଅସନ୍ତୋଷର ନିଆଁ  ।