ଭିସା ଦୁର୍ନୀତି ମାମଲା, ଆଜି ସାଂସଦ କାର୍ତ୍ତି ଚିଦାମ୍ବରମଙ୍କୁ ଜେରା କରିବ ସିବିଆଇ

ନୂଆଦିଲ୍ଲୀ: ଭିସା ଦୁର୍ନୀତି ମାମଲା । ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କୁ ଆଜି ସିବିଆଇ ଜେରା କରିବ । ଜେରା ଲାଗି କାର୍ତ୍ତିଙ୍କୁ ସମନ ଜାରି କରିଥିଲା ସିବିଆଇ । ବ୍ରିଟେନରୁ ଫେରିବା ପରେ ସିବିଆଇ ନିକଟରେ ହାଜର ହେବା ଲାଗି ତାଙ୍କୁ ସମନ ଜାରି କରାଯାଇଥିଲା । କିଛି ଦିନ ତଳେ ସୁପ୍ରିମକୋର୍ଟ ଓ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ଅନୁମତି କ୍ରମେ କାର୍ତ୍ତି ବ୍ରିଟେନ ଯାଇଥିଲେ । ମାତ୍ର ଜେରା ଲାଗି ତାଙ୍କୁ ସମନ ଜାରି କରାଯିବା ପରେ ସେ ଫେରିଛନ୍ତି ।

ପଞ୍ଜାବରେ ଏକ ପାଓ୍ୱାର ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ବେଦାନ୍ତ ଗ୍ରୁପ କମ୍ପାନୀ ତାଲଓ୍ୱାଣ୍ଡି ସାବୋ ପାଓ୍ୱାର ଲିମିଟେଜ ବା ଟିଏସପିଏଲର ଜଣେ ପ୍ରମୁଖ ପଦାଧିକାରୀଙ୍କ ଦ୍ୱାରା କାର୍ତ୍ତି ଓ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଏସ.ଭାସ୍କର ରମଣଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ନେଇ ଅଭିଯୋଗ ହୋଇଥିଲା । ନିଜର ଏଫଆଇଆରରେ ସିବିଆଇ ଦର୍ଶାଇଥିଲା ପଞ୍ଜାବରେ ଚୀନର ଏକ କମ୍ପାନୀ ଜରିଆରେ ପାଓ୍ୱାର ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଯୋଜନା କରାଯାଇଥିଲା ଯେଉଁଥିରେ ଦୁର୍ନୀତିର ବାସ୍ନା ଆସିଥିଲା । ୨୬୩ ଜଣ ଚୀନ ଶ୍ରମିକଙ୍କ ଲାଗି ପ୍ରୋଜେକ୍ଟ ଭିସା ପୁନଃପ୍ରଦାନ କରିବା ଲାଗି ଟିଏସପିଏଲର କର୍ତ୍ତୃପକ୍ଷ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ଏଫଆଇଆରରେ ଦର୍ଶାଯାଇଥିଲା ।