କିଏ ସେହି ଶିଳ୍ପପତି ଯିଏ ନିଜର ୬ଶହ କୋଟି ଟଙ୍କାର ସମ୍ପତ୍ତି ସରକାରଙ୍କୁ ଦାନ କରିଦେଲେ ?

ମୁରାଦାବାଦ: ଜଣେ ଶିଳ୍ପପତି ଯିଏ ନିଜର ୬ଶହ କୋଟି ଟଙ୍କାର ସମ୍ପତ୍ତି ସରକାରଙ୍କୁ ଦାନ କରି ଦେଇଛନ୍ତି । ଉତ୍ତରପ୍ରଦେଶର ଜଣେ ଶିଳ୍ପପତି ନିଜର ସମସ୍ତ ସମ୍ପତ୍ତି ସରକାରଙ୍କୁ ଦାନ କରି ଏବେ ଚର୍ଚ୍ଚାରେ । ଏ ଖବରଟି ଆପଣଙ୍କୁ ନିଶ୍ଚୟ ବିଚଳିତ କରୁଥିବ । ଆଜିର ସମାଜରେ ଯେତବେଳେ ସମସ୍ତେ ଅର୍ଥ ସଞ୍ଚୟ ଏବଂ ବୃଦ୍ଧି ଦିଗରେ ଧାଉଁଛନ୍ତି ସେତବେଳେ ଏହି ଶିଳ୍ପପତି ମୋହମାୟାର ଉର୍ଦ୍ଧ୍ୱରେ ରହି ଗରିବଙ୍କ ପାଇଁ ନିଜ ସବୁ ସମ୍ପତ୍ତି ଦାନ କରିଛନ୍ତି । କିଏ ସେହି ଶିଳ୍ପପତି ଯିଏ ବଦାନ୍ୟତା ଦେଖାଇ ନିଜର ୬ଶହ କୋଟି ଟଙ୍କାର ସମ୍ପତ୍ତି ସରକାରଙ୍କୁ ଦାନ କରିଦେଲେ ? ଜାଣିବା ତାଙ୍କ ବିଷୟରେ ସବୁ କିଛି ।

ଉତ୍ତରପ୍ରଦେଶର ମୁରାଦାବଦର ସବୁଠୁ ବଡ଼ ଶିଳ୍ପପତି ହେଉଛନ୍ତି ଡା. ଅରବିନ୍ଦ କୁମାର ଗୋଏଲ । ନିଜର ସବୁ ସମ୍ପତ୍ତି ଗରିବଙ୍କ ପାଇଁ ଦାନ କରିଦେଇଛନ୍ତି । ସମ୍ପତ୍ତିର ମୋଟ ମୂଲ୍ୟ ପ୍ରାୟ ୬ଶହ କୋଟି ହେବ । ଗୋଏଲ କେବଳ ନିଜର ଏକ ଘରକୁ ଛାଡି ଆଉ ସବୁ ଦାନ ଦେଇଛନ୍ତି । ୫୦ ବର୍ଷର ପରିଶ୍ରମରେ ଅର୍ଜିତ ସମ୍ପତ୍ତି ଦାନ କରିବା ପରେ ଚର୍ଚ୍ଚା ଘେରକୁ ଆସିଛନ୍ତି । ଗୋଏଲ ଏହି ଦାନ ଉତ୍ତରପ୍ରଦେଶ ସରକାରଙ୍କୁ ଦେଇଛନ୍ତି । ତେବେ ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ତାଙ୍କର ୧୦୦ରୁ ଅଧିକ ଶିକ୍ଷାନୁଷ୍ଠାନ, ବୃଦ୍ଧାଶ୍ରମ ଏବଂ ହସ୍ପିଟାଲ ରହିଛି ।

କରୋନା ସମୟରେ ମଧ୍ୟ ଲୋକଙ୍କୁ ସହାୟତା କରି ଚର୍ଚ୍ଚାରେ ରହିଥିଲେ । ଲକଡାଉନ ସମୟରେ ମୁରାଦାବାଦର ୫୦ ଗାଁକୁ ପୋଷ୍ୟ ଭାବେ ନେଇ ଲୋକମାନଙ୍କୁ ମାଗଣା ଖାଦ୍ୟ ଓ ମେଡିସିନ ଦେଇଥିଲେ । ଗୋଏଲ ପୂର୍ବରୁ ମଧ୍ୟ ନିଜର ମହାନ କାର୍ଯ୍ୟ ପାଇଁ ଅନେକ ସମ୍ମାନର ଅଧିକାରୀ ହୋଇ ସାରିଛନ୍ତି । ସମାଜସେବା ପାଇଁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ, ପ୍ରଣବ ମୁଖର୍ଜୀ, ପ୍ରତିଭା ଦେବୀସିଂହ ପାଟିଲ ଓ ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ତାଙ୍କୁ ସମ୍ମାନୀତ କରିଛନ୍ତି ।

ଡା. ଗୋଏଲଙ୍କ ଜନ୍ମ ମୁରାଦାବାଦରେ ହୋଇଥିଲା । ତାଙ୍କ ପିତା ପ୍ରମୋଦ କୁମାର ଏବଂ ମା’ ଶକୁନ୍ତଳା ଦେବୀ ସ୍ୱାଧିନତା ସଂଗ୍ରାମୀ ଥିଲେ । ବର୍ତ୍ତମାନ ଗୋଏଲଙ୍କ ପରିବାରରେ ତାଙ୍କ ପତ୍ନୀ ରେଣୁଙ୍କ ବ୍ୟତୀତ ଦୁଇ ପୁଅ ଓ ଜଣେ ଝିଅ ଅଛନ୍ତି । ବଡ଼ ପୁଅ ମଧୁର ଗୋଏଲ ମୁମ୍ବାଇରେ ରହୁଛନ୍ତି । ସାନ ପୁଅ ପ୍ରକାଶ ଗୋଏଲ ମୁରାଦାବାଦରେ ରହି ବାପାଙ୍କ ସହ ବ୍ୟବସ୍ୟାୟରେ ସହାୟତା କରନ୍ତି । ଝିଅ ବିବାହ ପରେ ବରେଲିରେ ରହୁଛନ୍ତି ।

ଗୋଏଲ ସୋମବାର ରାତିରେ ସମ୍ପତ୍ତି ଦାନ କରିବାକୁ ଘୋଷଣା କରିଥିଲେ । ଏହାପରେ ଗଣମାଧ୍ୟମକୁ କହିଥିଲେ ୨୫ ବର୍ଷ ପୂର୍ବେ ମୁଁ ସମ୍ପତ୍ତି ଦାନ କରିବାକୁ ମନସ୍ଥ କରିଥିଲି । ସେ ସମୟର ଏକ ଘଟଣାର ଉଲ୍ଲେଖ କରି କହିଥିଲେ, ଡିସେମ୍ବର ମାସ ଥାଏ । ମୁଁ ଟ୍ରେନରେ ଚଢିବା କ୍ଷଣି । ସାମ୍ନାରୁ ଜଣେ ଗରିବ ଲୋକ ଥଣ୍ଡାରେ ଥରୁଥିବାର ନଜର ଆସିଥିଲେ । ତା ପାଖରେ ନା ଚାଦର ଥିଲା ନା ପାଦରେ ଚପଲ ଥିଲା । ସେ ଲୋକ ଜଣକ କଷ୍ଟ ଦେଖିବା ପରେ ମୁଁ ଆଉ ରହି ପାରିନଥିଲି । ନିଜ ଯୋତା କାଢି ତାଙ୍କୁ ଦେଇ ଦେଇଥିଲି । କିଛି ସମୟ ପରେ ମୁଁ ବି ଥଣ୍ଡାର ଅନୁଭବ କରିଥିଲି । ମୋ ପାଇଁ ଖାଲି ଗୋଡରେ ବସିବା ଅସହ୍ୟ ହୋଇପଡିଥିଲା । ସେତବେଳେ ମୁଁ ଭାବିଥିଲି, ଏପରି ଅନେକ ଲୋକ ସଂସାରରେ ଥିବେ ଯାହାଙ୍କ ଅବସ୍ଥା ଏମିତି ଥିବ । ସେବେଠୁ ଗରିବ ଏବଂ ବେସାହାରାଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲି । ଏବେ ମୁଁ ଜୀବନରେ ଅନେକ ସଫଳତା ପାଇ ସାରିଛି । ଜୀବନରେ ଭରସା ନାହିଁ । ତେଣୁ ଜୀବିତ ଥିବା ସମୟରେ ନିଜ ସମ୍ପତ୍ତି ସଠିକ ହାତରେ ଦାନ କରିଦେଇଛି ବୋଲି କହିଛନ୍ତି ଅରବିନ୍ଦ ।

ଯାହାଦ୍ୱାରା ଅନାଥ, ଗରିବ ଏବଂ ବେସାହାରା ଲୋକଙ୍କ କାମରେ ଆସିପାରିବ । ମୁଁ ସମ୍ପତ୍ତି ଦାନ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଚିଠି ଲେଖିଛି ଏବଂ ସେ ଆଗାମୀ କାର୍ଯ୍ୟ କରିବେ । ସମ୍ପତ୍ତି ବିକ୍ରୀ ପରେ ଯେଉଁ ଅର୍ଥ ଆସିବ ତାହା ଅନାଥ ଏବଂ ବେସେହାରା ଲୋକଙ୍କ ପାଇଁ ମାଗଣା ଶିକ୍ଷା ଏବଂ ଚିକିତ୍ସାରେ ଲାଗିବ । ତାଙ୍କର ଏପରି ମହନୀୟ କାର୍ଯ୍ୟ ପାଇଁ ସାରା ଦେଶ ତାଙ୍କୁ ପ୍ରଶଂସା କରିଛି ।