ସ୍ବପ୍ନରେ ରହିଯିବ କି ସ୍ବପ୍ନର ଘର, ଆପାର୍ଟମେଣ୍ଟ ଦେବାକୁ କହି ବିଲଡର ସଂସ୍ଥା ସମୟ ଗଡ଼ାଉଥିବା ଅଭିଯୋଗ

1 min read

ଭୁବନେଶ୍ୱର: ଗ୍ରାହକ ବେହାଲ, ବିଲଡର ମାଲାମାଲ । ଟଙ୍କା ନେଲେ ହେଲେ କୋଠା ଦେଲେନି । ସ୍ବପ୍ନରେ ରହିଗଲା ସ୍ବପ୍ନର ଘର । ବିଲଡରଙ୍କୁ ଅଭିଯୋଗ କଲେ ଗୋଡ଼ାଉଛନ୍ତି ବାଉନସର । ୨୦୧୨ରେ ସୁନ୍ଦରପଦାରେ ପ୍ରସ୍ତାବିତ The Prestige ଆପାର୍ଟମେଣ୍ଟରେ 2 BHK ଘର ପାଇଁ ୧୫ ଲକ୍ଷ ୫୦ ହଜାର ଟଙ୍କା ଦେଇ ଏପର୍ଯ୍ୟନ୍ତ ମଧ୍ୟ ଘର ପାଇପାରିନାହାନ୍ତି । କିନ୍ତୁ ୧୧ ବର୍ଷ ପରେ ବି ଘର ନମିଳିବାରୁ ସହିଦନଗର ସ୍ଥିତ ବିଲଡର ଅଫିସ ଘେରାଉ କରିଛନ୍ତି ଠକେଇର ଶିକାର ଲୋକ । ପ୍ରାୟ ୪୨ ଜଣ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକେଇର ଶିକାର ହେବା ପରେ MD ଅନ୍ତର୍ଯ୍ୟାମୀ ବଡୁଙ୍କୁ ଦେଖା କରିବାକୁ ଚାହିଁଥିଲେ । ହେଲେ ଗଣମାଧ୍ୟମ ସହ କ୍ଷତିଗସ୍ତଙ୍କୁ ଅଟକାଇଥିଲେ ସଂସ୍ଥାର ଭଡ଼ାଟିଆ ଗୁଣ୍ଡା । ଯାହାକୁ ନେଇ ବିଲଡର ଅଫିସରେ ସୃଷ୍ଟି ହୋଇଥିଲା ଅଭାବନୀୟ ସ୍ଥିତି ।

ସିଟିକନ ଇଞ୍ଜିନିୟର୍ସ ଲିମିଟେଡ୍ ଏବେ ତା’ର ନାଁ ପରିବର୍ତ୍ତନ କରି ଆରିୟାନ ଇନଫ୍ରା ପ୍ରୋଜେକ୍ଟ ଲିମିଟେଡ଼ କରିଛି । MD ଅନ୍ତର୍ଯ୍ୟାମୀ ବଡୁଙ୍କ ସହ ଆଲୋଚନା ପରେ ସେ ଆଗାମୀ ୪ ମାସ ମଧ୍ୟରେ ଲୋକଙ୍କୁ ଘର ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ଲୋକଙ୍କ ଅଭିଯୋଗ ହେଉଛି, ମିଛ ପ୍ରତିଶ୍ରୁତି ଦେବାରେ ଧୁରନ୍ଧର ଅନ୍ତର୍ଯ୍ୟାମୀ । ଆପର୍ଟମେଂଟରେ ଫାୟାର ସେଫ୍ଟି, ସ୍ୱିମିଙ୍ଗ ପୁଲ, ପାର୍କିଂ, ମନ୍ଦିରର କୌଣସି କାମ ହୋଇନାହିଁ । ୧୦ ବର୍ଷ ହେଲା କୋଟି କୋଟି ଟଙ୍କାର ସୁଧ ଦେଇ ତଳିତଳାନ୍ତ ହୋଇଥିବା ଗ୍ରାହକ ଆଗକୁ EOW ଓ ରେରାର ଦ୍ବାରସ୍ତ ହେବେ ବୋଲି କହିଛନ୍ତି ।