ଆରମ୍ଭ ହେଲା ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର: ଆରମ୍ଭ ହେଲା ବଜେଟ ଅଧିବେଶନ । ଆଜିଠାରୁ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ବଜେଟ ଅଧିବେଶନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଉପସ୍ଥିତ ରହିଛନ୍ତି । ଅନ୍ୟପକ୍ଷରେ ବଜେଟ ଅଧିବେଶନର ପ୍ରଥମ ଦିନରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହ ସମସ୍ତ ମନ୍ତ୍ରୀ ଓ ବିଧାୟକ ଗୃହରେ ଉପସ୍ଥିତ ରହିଛନ୍ତି । ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ।

ଆଜି ବଜେଟ ଅଧିବେଶନର ପ୍ରଥମ ଦିନରେ ଗୃହରେ ଅଭିଭାଷଣ ରଖିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ରାଜ୍ୟପାଳଙ୍କ ଅଭିଭାଷଣ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ, ବିଧାନସଭାର ସଦସ୍ୟ ତଥା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ସମେତ ୮ ଜଣ ପୂର୍ବତନ ବିଧାୟକ ଓ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଶୋକ ପ୍ରସ୍ତାବ ଆଗତ ପରେ  ଗୃହ ୪ଟା ପର୍ଯ୍ୟନ୍ତ ମୁଲତବୀ ରହି ପୁଣି ଥରେ ଆରମ୍ଭ ହେବ । ୨୫, ୨୬ ଓ ୨୮ ତାରିଖ ତିନି ଦିନ ଧରି ଗୃହରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ । ସମ୍ପୂର୍ଣ୍ଣ କୋଭିଡ୍ କଟକଣାରେ ଚଳିତ ବଜେଟ ଅଧିବେଶନରେ ଗୃହକାର୍ଯ୍ୟ ଚାଲିବ। ପ୍ରତ୍ୟେକ ଦିନ ଗୃହ କାର୍ଯ୍ୟ ଦିନ ୧୦.୩୦ରୁ ୧.୩୦ ଏବଂ ପରବର୍ତ୍ତୀ ପର୍ଯ୍ୟାୟ ୪ ରୁ ୬ଟା ଏପରି ଦୁଇଟି ପର୍ଯ୍ୟାୟରେ ୫ ଘଣ୍ଟା ଚାଲିବ । ଅନ୍ୟପକ୍ଷରେ ବିଧାନସଭାର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ୫୪ ନମ୍ବର ପ୍ରକୋଷ୍ଠରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା ।