ଆଜି ମୋଦିଙ୍କୁ ଭେଟିବ ବ୍ରିଟେନ ପ୍ରଧାନମନ୍ତ୍ରୀ, ପ୍ରାୟ ୧ ବିଲିୟନ ପାଉଣ୍ଡର ଚୁକ୍ତି ହୋଇପାରେ ସ୍ୱାକ୍ଷରିତ

1 min read

ନୂଆଦିଲ୍ଲୀ: ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟଘାଟ । ଦୁଇ ନେତାଙ୍କ ମଧ୍ୟରେ ଆତଙ୍କବାଦ ଓ ପ୍ରତିରକ୍ଷା ପ୍ରସଙ୍ଗ ନେଇ ଆଲୋଚନା ହେବ । ଏହା ସହ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମଧ୍ୟ ଦୁଇ ନେତା ଆଲୋଚନା କରିବେ । ଏହି ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୧ ବିଲିୟନ ପାଉଣ୍ଡର ଚୁକ୍ତି ହେବାର ସମ୍ଭାବନା ରହିଛି । ବ୍ରିଟେନରେ ଖଲିସ୍ତାନୀ ସଂଗଠନ ସହ ଜଡ଼ିତ ସଦସ୍ୟମାନଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପ କଥା ଉଠାଇବା ଭାରତ । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରିଟେନଠାରେ ଦାବି କରିବ ନୂଆଦିଲ୍ଲୀ । ଭାରତୀୟ ବଜାରରେ ଅଧିକ ପ୍ରବେଶ ଅଧିକାର ଚାହୁଁଛି ବ୍ରିଟେନ୍ ।

ଗତକାଲି ଦୁଇଦିନିଆ ଭାରତ ଗସ୍ତର ପ୍ରଥମ ଦିନରେ ଗୁଜରାଟ ଯାଇଥିଲେ ଜନସନ । ଅହମ୍ମଦାବାଦରେ ଜନସନଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଥିଲା । ସାବରମତୀ ଆଶ୍ରମ ପରିଦର୍ଶନ କରିବା ସହ ଭାରତର ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ ଜନସନ୍ । ବିଭିନ୍ନ ଶିଳ୍ପପତିଙ୍କ ଆଲୋଚନା କରିବା ପରେ ସେ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ । ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବରେ ବୋରିସ୍ ଜନସନ୍ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି । ଏହା ପୂର୍ବରୁ ଦୁଇ ଥର ବୋରିସ୍ ଜନସନ୍ ଭାରତକୁ ଆସିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ କରୋନା ମହାମାରୀ ପାଇଁ ଜନସନଙ୍କ ଏହି ଗସ୍ତକୁ ଦୁଇ ଥର ବାତିଲ କରିବାକୁ ପଡ଼ିଥିଲା ।