ବାରଙ୍ଗ ନିକଟ ଚୁଡ଼ଙ୍ଗ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

କଟକ: ବାରଙ୍ଗ ନିକଟ ଚୁଡ଼ଙ୍ଗ ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ବାରଙ୍ଗ ଥାନା ପଛ କନକଦୁର୍ଗା ଆଦିବାସୀ ସାହିର ସୁଶାନ୍ତ ଟୁଡୁ । ମୃତକଙ୍କ ଶରୀରରେ କ୍ଷତ ଚିହ୍ନ ରହିଥିବାବେଳେ ତାଙ୍କୁ ହତ୍ଯା କରାଯାଇଥିବା ସନ୍ଦେହ କରାଯାଉଛି । ଅଭିଯୋଗ ଅନୁସାରେ ମଙ୍ଗଳବାର ପୂର୍ବାହ୍ନରେ ମୃତ ସୁଶାନ୍ତ ଦୁଇଜଣ ସହଯୋଗୀଙ୍କ ସହ ସ୍କୁଟର ଯୋଗେ ଜଙ୍ଗଲକୁ ମଦ୍ୟପାନ କରିବାକୁ ଯାଇଥିଲେ। ସେଠାରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ସୁଶାନ୍ତଙ୍କ ଦୁଇ ସହଯୋଗୀ ସେଠାରୁ ଚାଲି ଆସିଥିଲେ । ହେଲେ ରାତି ସୁଦ୍ଧା ସୁଶାନ୍ତ ଘରକୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ବି ସୁଶାନ୍ତଙ୍କ ଖୋଜଖବର ପାଇନଥିଲେ । ଏହାପରେ ଥାନାରେ ଅଭିଯୋଗ କରିଥିଲେ । ଗତକାଲି ସନ୍ଧ୍ଯାରେ ଜଙ୍ଗଲ ଭିତରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ବାରଙ୍ଗ ଓ ଚନ୍ଦକା ପୋଲିସ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି। ଦୁଇ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସୁଶାନ୍ତଙ୍କୁ ହତ୍ଯା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।