ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ନିଖୋଜ ଯବାନଙ୍କ ମୃତଦେହ

1 min read

ଜଗତସିଂହପୁର: ମିଳିଲା ନିଖୋଜ ଯବାନଙ୍କ ମୃତଦେହ । ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଧୀନ ସୋମପୁର ଗାଁର ଯବାନ ସୂର୍ଯ୍ୟକାନ୍ତ କୁଆଁର ଗତ ୧୭ ତାରିଖରୁ ନିଖୋଜ ଥିଲେ । ଦୁଇ ଦିନ ପୂର୍ବରୁ ଯବାନଙ୍କ ବାଇକ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଧାନମଣ୍ଡଳ ନିକଟ ପାହାଡ଼ ପାଖରୁ ବାଇକ ଜବତ ହୋଇଥିଲା । ଗତକାଲି ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ବହୁ ଖୋଜାଖୋଜି ପରେ ବି ଯବାନଙ୍କ କୌଣସି ପତ୍ତା ମିଳିନଥିଲା ।

ଆଜି ଯାଜପୁର SPଙ୍କ ନିର୍ଦ୍ଦେଶକ୍ରମେ SDPOଙ୍କ ଅଧ୍ୟକ୍ଷତାରେ ପୋଲିସର ୩ଟି ଟିମ୍, ବନ ବିଭାଗ କର୍ମଚାରୀ ପାହାଡ଼ ଉପରକୁ ଚଢି ଖୋଜାଖୋଜି କରିଥିଲେ । ଶେଷରେ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଂଚିବା ପରେ ମୃତଦେହକୁ ଶବ ବ୍ୟବଛେଦ ପାଇଁ ପଠାଯିବ । କେଉଁ କାରଣରୁ ଯବାନ ଜଣକ ଜଙ୍ଗଲରେ ଆତ୍ମହତ୍ୟା କରିଛନ୍ତି ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଅଛି ସେନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି ।