ଦ୍ୱନ୍ଦ୍ୱ ଦୂର କଲେ ବିଏମସି କମିଶନର: ଜାଣନ୍ତୁ କ’ଣ ଖୋଲା ରହିବ, କ’ଣ ବନ୍ଦ

ଭୁବନେଶ୍ୱର: ରାଜଧାନୀରେ ସମାନ୍ତରାଳ ଭାବେ ଚାଲିବ ଲକଡାଉନ କଟକଣା ଓ ଜୀବନଜୀବିକା । ଏଥିପାଇଁ ଲକଡାଉନ ନିୟମରେ କିଛିଟା କୋହଳ କରିଛି ଭୁବନେଶ୍ୱର ମହାନଗର ନିଗମ । କେବଳ ସପିଂ ମଲ କିମ୍ବା ମାର୍କେଟ କମ୍ପ୍ଳେକ୍ସକୁ ଛାଡି ଅନ୍ୟ ସବୁ ଷ୍ଟାଣ୍ଡ ଏଲୋନ ଦୋକାନ ଖୋଲିବ ।

ଦୋକାନ ଖୋଲିବାର ସମୟ ସକାଳ ୮ଟାରୁ ସନ୍ଧ୍ୟା ୬ଟା । ଗୋଟିଏ ବିଲ୍ଡିରେ ୫ରୁ ଅଧିକ ଦୋକାନ ରହିଲେ ତାକୁ ସପିଂ ମଲ ବା ମାର୍କେଟ କମ୍ପ୍ଳେକ୍ସର ମାନ୍ୟତା ଦିଆଯାଇଛି । ତେଣୁ ସପିଂ ମଲ ଓ ମାର୍କେଟ କମ୍ପ୍ଳେକ୍ସକୁ ଖୋଲିବାକୁ ଦିଆଯାଇନି ଅନୁମତି । ଫାଷ୍ଟଫୁଡ କି ଠେଲା ଖୋଲିବନି । ଖୋଲିବନି କୈାଣସି ଜିମ, ସେଲୁନ କିମ୍ବା ମସାଜ ପାର୍ଲର । ତେବେ ଷ୍ଟାଣ୍ଡ ଏଲୋନ ବା ରେସିଡେନସିଆଲ କମ୍ପ୍ଳେକ୍ସ ଥିବା କପଡା ଦୋକାନ, ତେଜରାତି ଦୋକାନ, ହାର୍ଡୱେୟାର, ମୋବାଇଲ ମରାମତି, ଇଲୋକଟ୍ରନିକ୍ସ, ଇଲେକ୍ଟ୍ରିକାଲ ଭଳି ଦୋକାନ ଖୋଲିବାରେ କୈାଣସି ସମସ୍ୟା ନାହିଁ ।

ନିର୍ମାଣ କାମ ଚାଲିପାରିବ । କିନ୍ତୁ ସାଇଟ ଉପରେ ମୂଲିଆ ଥିଲେ କାମ କରିପାରିବେ । ବାହାରୁ ମୂଲିଆ ଆଣିପାରିବେ ନାହିଁ । ନିର୍ମାଣ ସାମଗ୍ରୀ ପରିବହନକୁ କଟକଣାମୁକ୍ତ କରାଯାଇଛି । ତେବେ ରାତିରେ ଏସବୁ ସାମଗ୍ରୀର ପରିବହନ କରିବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିଶନର । ଅନୁମତି ପ୍ରାପ୍ତ ଦୋକାନରେ ୫ରୁ ଅଧିକ ଗ୍ରାହକ ଏକ ସମୟରେ ରହିପାରିବେ ନାହିଁ ।

ଯାହାଙ୍କୁ ଫ୍ଲୁ କିମ୍ବା ଥଣ୍ଡାର ଲକ୍ଷଣ ଥିବ ସେମାନଙ୍କ ବାବଦରେ ପ୍ରଶାସନକୁ ଜଣାଇବେ । ଦୋକାନରେ ହାତ ଧୋଇବା ଓ ସାନିଟାଇଜରର ବ୍ୟବସ୍ଥା କରାଯିବ । ମେଡିସିନ ଦୋକାନ ଭଳି ଅତ୍ୟାବଶ୍ୟକ ଦୋକାନକୁ ବାଦ ଦେଲେ ଅନ୍ୟ ସବୁ ଦୋକାନ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ଦୋକାନୀଙ୍କ ପରିବହନ ପାଇଁ ସମ୍ପୃକ୍ତ ଦୋକାନର ଟ୍ରେଡ ଲାଇସେନ୍ସକୁ ପାସ ଭାବେ ଗ୍ରହଣ କରାଯିବ । ରେଷ୍ଟୁରାଣ୍ଟ ଓ ମିଠା ଦୋକାନ ଖୋଲିପାରିବ । କିନ୍ତୁ ବସି ଖାଇବାକୁ ଅନୁମତି ନାହିଁ । ହୋମ ଡେଲିଭରି କରିପାରିବେ । ଭୁବନେଶ୍ୱରରେ ସବୁ ଅଫିସକୁ ୩୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟକାରୀ କରିବାକୁ ଅନୁମତି ଦିଆଯାଇଛି । ଆଗ୍ରହୀ ଶିଳ୍ପାନୁଷ୍ଠାନ ମଧ୍ୟ ସୀମିତ ସଂଖ୍ୟକ କର୍ମଚାରୀରେ ଖୋଲିପାରିବେ । ସେଥିପାଇଁ ସେମାନେ ବିଏମସିରୁ ଅନୁମତି ନେବେ ।

Leave a Reply