ସୋସିଆଲ ମିଡିଆରେ ଏଜେଣ୍ଡା ପ୍ରଚାର କରିବାରେ ଆଗରେ ବିଜେପି !
ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ଭୂମିକା ଗୁରୁତ୍ୱପୂର୍ଣ୍ଣ । ରାଜନୈତିକ ଦଳ ଗୁଡ଼ିକ ନିଜ ମତବାଦର ପ୍ରଚାର ପାଇଁ ସୋସିଆଲ ମିଡିଆକୁ ବ୍ୟବହାର କରିଥାନ୍ତି । ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ରାଜନୈତିକ ଦଳଙ୍କ ଉପସ୍ଥିତି ବୃଦ୍ଧି ପାଇଥାଏ । ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରଚାର ପାଇଁ ଏହି ପ୍ଲାଟଫର୍ମ ବ୍ୟବହାର କରିଥାନ୍ତି । ତେବେ ଭାରତରେ କେଉଁ ଦଳ ସୋସିଆଲ ମିଡିଆକୁ କେତେ ଅଧିକ ନିଜ ପ୍ରଚାର ପାଇଁ ବ୍ୟବହାର କରୁଛନ୍ତି ? ନିକଟରେ ଫେସବୁକ ଏହାର ବିଜ୍ଞାପନ ଲାଇବ୍ରେରୀ ରିପୋର୍ଟ ଉପସ୍ଥାପନା କରିଛି । ଯେଉଁଥିରୁ ଭାରତର କେଉଁ କେଉଁ ଦଳ ସୋସିଆଲ ମିଡିଆରେ ପ୍ରଚାର ପାଇଁ ଅଧିକ ଖର୍ଚ୍ଚ କରୁଛନ୍ତି ଓ ପ୍ରଚାର କ୍ଷେତ୍ରରେ ଆଗରେ ଅଛନ୍ତି ତାହା ଜଣା ପଡୁଛି ।
ସୋସିଆଲ ମିଡିଆରେ ନିଜର ଏଜେଣ୍ଡାକୁ ପ୍ରଚାର କରିବାରେ ସବୁଠୁ ଆଗରେ ରହିଛି ବିଜେପି । ଗତ ୧୮ ମାସ ଭିତରେ ଫେସବୁକରେ କିଏ କଣ ପ୍ରଚାର କରିଛି ଏବଂ କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ଏନେଇ ଏକ ରିପୋର୍ଟ ଆସିଛି । ଫେବୃୟାରୀ ୨୦୧୯ରୁ ୪ କୋଟି ୬୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ବିଜେପି । ତା ପଛକୁ ରହିଛି କଂଗ୍ରେସ । କଂଗ୍ରେସ ନିଜର ପ୍ରଚାର ପାଇଁ ଏକ କୋଟି ୮୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ଗତ ୨୪ ତାରିଖ ପର୍ଯ୍ୟନ୍ତ କେଉଁ ଦଳ କେତେ କେତେ ଖର୍ଚ୍ଚ କରିଛନ୍ତି ସେ ନେଇ ରିପୋର୍ଟ ଆସିଛି । ବିଜେପି ସହ ମିଶି କିଛି ବିଜ୍ଞାପନ ସଂସ୍ଥା ମଧ୍ୟ ଫେସବୁକରେ ପ୍ରଚାର କରିଛନ୍ତି । ଏହା ବାବଦକୁ ହେଉଥିବା ଖର୍ଚ୍ଚ ମଧ୍ୟ ବିଜେପି ବହନ କରିଥିବା ଜଣାପଡିଛି । ଏସବୁ ମିଶାଇଲେ ବିଜେପି ୧୦ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ମାଇ ଫାଷ୍ଟ ଭୋଟ ଫର ମୋଦି, ଭାରତ କେ ମନ୍ କି ବାତ୍ ନାଁରେ ହେଉଥିବା ବିଜ୍ଞାପନ ଖର୍ଚ୍ଚ ପାଇଁ ୩ କୋଟି ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିବା ଜଣାପଡିଛି ।