ଶ୍ରୀମନ୍ଦିରରେ ଆରମ୍ଭ ହେଲା ଭିତର ଚନ୍ଦନ ଯାତ୍ରା, ସ୍ନାନ ପୂର୍ଣ୍ଣିମା ଯାଏଁ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି

ପୁରୀ: ଶ୍ରୀମନ୍ଦିର ଭିତରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କର ଭିତର ଚନ୍ଦନ ଯାତ୍ରା । ଏହି ଗନ୍ଧ ଯାତ୍ରା ସମୟରେ ମହାପ୍ରଭୁଙ୍କୁ ପ୍ରତ୍ୟେହ ଆଲଟ, ଚାମର, ଚନ୍ଦନ ଲାଗି କରାଯିବା ସହ ପଣା ଭୋଗ ଅନୁଷ୍ଠିତ ହେବ । ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ ଚନ୍ଦନ ଯାତ୍ରା । ବାହାର ଚନ୍ଦନ ଯାତ୍ରାରେ ମହାପ୍ରଭୁ ନରେନ୍ଦ୍ର ସରୋବରରେ ୨୧ ଦିନ ଜଳକ୍ରୀଡ଼ା କରୁଥିବା ବେଳେ ଭିତର ଚନ୍ଦନ ଯାତ୍ରା ସମୟରେ ୪ ଦିନ ଜଳକ୍ରୀଡ଼ା ମଣ୍ଡପରେ ହୁଏ ସ୍ବତନ୍ତ୍ର ନୀତି । ଦୁଇଟି ଏକାଦଶୀ, ସହ ସାବିତ୍ରୀ ଅମାବାସ୍ୟା ଓ ଶୀତଳ ଷଷ୍ଠୀ ଦିନ ଏହି ବିଶେଷ ଜଳକ୍ରୀଡା ନୀତି ପାଳନ କରାଯିବ ।

ସେପଟେ ରଥଯାତ୍ରା ପାଇଁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଜାରି ରହିଥିବା ବେଳେ ୨୦ରୁ ଉର୍ଦ୍ଧ୍ୱ ଚକ ନିର୍ମାଣ ଶେଷ ହୋଇଛି । ଭୂଇଁ ନିର୍ମାଣ ପାଇଁ କାଠ ସାଇଜ ଜାରି ରହିଛି । ଅଖ ନିର୍ମାଣ ପାଇଁ ଅଖ କାଠ ଭୋଇ ସେବାୟତଙ୍କ ଦ୍ୱାରା ମହାରଣା ସେବାୟତଙ୍କୁ ଯୋଗାଇ ଦିଆଯାଇଛି । ପାଗ ଅନୁକୂଳ ହେଲେ ଅଖ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ମହାରଣା ସେବାୟତ । ବଳକା ଚକ ନିର୍ମାଣ କାର୍ଯ୍ୟ କରି ସରିବା ପରେ ଗୟଳ, କୁଡୁକା ଓ ଦଣ୍ଡା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ପରମ୍ପରା ଅନୁସାରେ ଆଗାମୀ ଶୀତଳ ଷଷ୍ଠୀ ପୂର୍ବରୁ ସମସ୍ତ ଚକ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଧି ପରମ୍ପରା ଅନୁସାରେ ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ସମ୍ପାଦନ ସହ ରଥ ଶୃଙ୍ଖଳିତ ଘୋଷଯାତ୍ରା ନେଇ ବିଶେଷ ଧ୍ୟାନ ଦିଆଯାଉଛି ।