ଚଳିତ ବର୍ଷ ରାଜ୍ୟ ଚୟନ ବୋର୍ଡ ଦ୍ୱାରା ପରିଚାଳିତ ହେବ ବିଇଡି, ଏମଇଡି ଓ ବିଏଚଇଡି ପ୍ରବେଶିକା ପରୀକ୍ଷା

1 min read

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟ ଚୟନ ବୋର୍ଡ ବା ଏସଏସବି ଦ୍ବାରା ପରିଚାଳିତ ହେବ ବିଇଡି, ଏମଇଡି ଓ ବିଏଚଇଡି ଆଦି ବିଷୟରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା । ଓଏମଆର ସିଟ୍ ଆଧାରିତ ପରୀକ୍ଷା ହେବାକୁ ଥିବା ବେଳେ ୨୦୨୨-୨୪ ବର୍ଷରେ ନାମଲେଖା ପାଇଁ ପ୍ରବେଶିକା ହେବ । ପ୍ରବେଶିକା ପରୀକ୍ଷା ପାଇଁ ୩୦ଟି ଜିଲ୍ଲାରେ କେନ୍ଦ୍ର ଚିହ୍ନଟ କରାଯିବ । ପ୍ରବେଶିକା ପରୀକ୍ଷା ଜୁଲାଇ ୩୧ ତାରିଖ କିମ୍ବା ଜୁଲାଇ ମାସ ଶେଷ ସପ୍ତାହରେ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଏସଏସବିକୁ ପରାମର୍ଶ ଦେଇଥିବା ବେଳେ, ପ୍ରବେଶିକା ପାଇଁ ଆବେଦନ ଜୁନ୍ ୧ରୁ ୨୭ ଯାଏଁ ରଖିବାକୁ ବିଭାଗ ପରାମର୍ଶ ଦେଇଛି । ଏଥିପାଇଁ ଆବେଦନ ଓ ଏ ସମ୍ପର୍କିତ ସମସ୍ତ ତଥ୍ୟ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ । ଛାତ୍ରଛାତ୍ରୀ ସାମ୍ସ ମାଧ୍ୟମରେ ସମସ୍ତ ତଥ୍ୟ ପାଇ ପାରିବେ । ତେବେ ପରୀକ୍ଷା ପରିଚାଳନା ପାଇଁ ସମସ୍ତ ଖର୍ଚ୍ଚ ଉଚ୍ଚଶିକ୍ଷା ବିଭାଗ ବହନ କରିବ ବୋଲି ବିଭାଗ ଚିଠିରେ ଦର୍ଶାଯାଇଛି । ଏନେଇ ବିଭାଗର ଅତିରିକ୍ତ ସଚିବ ଏସଏସବିର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ।