ସ୍ବାଭାବିକ ଚାଲିଛି ବିଧାନସଭା, ଆଜି ସମବାୟ ଓ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚଦାବି ହେବ ଆଗତ

1 min read

ଭୁବନେଶ୍ୱର: ଦୁଇଦିନ ଧରି ସ୍ୱାଭାବିକ ଭାବେ ଚାଲିଛି ବିଧାନସଭା । ବିରୋଧୀଙ୍କ ସହଯୋଗ ଯୋଗୁ ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବି ଆଲୋଚନା ଓ ୩ଟି ବିଭାଗର ଖର୍ଚ୍ଚଦାବି ଗୃହୀତ ହୋଇଛି । ଆଜି ସମବାୟ ଓ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ବିଭାଗର ଖର୍ଚ୍ଚଦାବି ଆଗତ କରିବେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକ । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଖାଦ୍ୟ ଯୋଗାଣ ବିଭାଗର ୩ ହଜାର ୨୨୯ କୋଟି ୯୫ ଲକ୍ଷ ୩୬ ହଜାର ଟଙ୍କା ଆଗତ କରାଯିବ । ସେହିପରି ସମବାୟ ବିଭାଗର ୨ ହଜାର ୩୬ କୋଟି ୭୩ ହଜାର ଟଙ୍କାର ଖର୍ଚ୍ଚ ଦାବି ଗୃହରେ ଆଗତ କରିବେ ମନ୍ତ୍ରୀ ।

ଏହା ସହିତ ରେରା ସଂଶୋଧନ ଆଇନ ୨୦୨୧ର ଗେଜେଟ ବିଜ୍ଞପ୍ତି, ଗତବର୍ଷ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିବା ନେଇ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗଙ୍କ ବିଜ୍ଞପ୍ତିକୁ ବିଭାଗୀୟ ମନ୍ତ୍ରୀ ଗୃହରେ ଉପସ୍ଥାପନ କରିବେ । ସେହିଭଳି ଓୟୁଏଟିର ବାର୍ଷିକ ରିପୋର୍ଟ ଉପସ୍ଥାପନ କରିବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ପ୍ରଶ୍ନ କାଳରେ କୃଷି, ଖାଦ୍ୟ ଯୋଗାଣ, ଗଣଶିକ୍ଷା, ଉଚ୍ଚଶିକ୍ଷା, ଶ୍ରମ ଓ ନିୟୋଜନ, ସମବାୟ ଏବଂ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିଛି ।