ସଂସ୍କାରମୂଳକ କାର୍ଯ୍ୟ କରିବାରେ ବିଶ୍ବର ଆର୍ଯ୍ୟ ସମାଜ ସର୍ବାଗ୍ରେ
ଭଦ୍ରକ : ସଂସ୍କାରମୂଳକ କାର୍ଯ୍ୟ କରିବାରେ ବିଶ୍ବର ଆର୍ଯ୍ୟ ସମାଜର ନାମ ସର୍ବାଗ୍ରେ ରହିବ । ସ୍ବାଧୀନତା ସଂଗ୍ରାମରେ ଯୋଗଦାନ, ବାୟୁ ଶୋଧନ ପାଇଁ ଯଜ୍ଞ କାର୍ଯ୍ୟ, ନାରୀ ସମ୍ମାନ ପ୍ରଦାନ, ବର୍ଣ୍ଣ ବ୍ୟବସ୍ଥା ପ୍ରଚଳନ ଆଦି କାର୍ଯ୍ୟରେ ପ୍ରଥମ ହୋଇଛି ବୋଲି ଆର୍ଯ୍ୟ ସମାଜର ପ୍ରତିଷ୍ଠା ଦିବସ ଓ ସୃଷ୍ଟି ଆରମ୍ଭ ଦିବସ ଉପଲକ୍ଷେ ଭଦ୍ରକ ଆର୍ଯ୍ୟ ସମାଜ ପକ୍ଷରୁ ଆୟୋଜିତ ସଭାରେ ବୈଦିକ ପ୍ରବକ୍ତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ପ୍ରକାଶ କରିଥିଲେ । ଆମେ ଆମ ପରିସ୍ଥିତି ସମ୍ପର୍କରେ ଅବଗତ ହୋଇନଥିବାରୁ ସ୍ବଳ୍ପ ସମୟରେ ଆରମ୍ଭ ହୋଇଥିବା ମତକୁ ସ୍ବୀକାର କରୁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଆମ ସଂସ୍କୃତିକୁ ଜାଣିବା ଓ ସେଥିରେ ନିଜକୁ ଗର୍ବ ଅନୁଭବ କରିବା ପ୍ରତ୍ୟେକ ଆର୍ଯ୍ୟଙ୍କ କାର୍ଯ୍ୟ ହେଉବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆର୍ଯ୍ୟ ସମାଜର ସଂପାଦକ ଲକ୍ଷ୍ମୀଧର ପଣ୍ଡା ଓ ସହ ସଂପାଦକ ରବି ନାରାୟଣ ଲେଙ୍କା ସଂଯୋଜନା କରିଥିଲେ । ଯଜ୍ଞରେ ଧନଞ୍ଜୟ ସାମଲଙ୍କ ପୁତ୍ର ଆୟୁଷ୍ମାନର ବୈଦିକ ରୀତି ଅନୁସାରେ ଜନ୍ମଦିନ ପାଳନ କରାଯିବା ସହ ପଣ୍ଡିତ ବୀରେନ୍ଦ୍ର ପଣ୍ଡା ଜନ୍ମଦିନ ପାଳନ କିପରି କରାଯିବା ଉଚିତ୍ ସେ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ନନ୍ଦ କିଶୋର ସାହୁ, କାଶୀନାଥ ସାହୁ, ରାଜ କିଶୋର ସାହୁ, ଘନଶ୍ୟାମ ଲେଙ୍କା ଓ ବହୁ ବିଦ୍ବାନ୍, ବିଦୁଷୀମାନେ ଉପସ୍ଥିତ ଥିଲେ ।