ଭାରତୀୟ କ୍ରିକେଟରେ ରବି ଶାସ୍ତ୍ରୀଙ୍କ ଯୁଗ ଶେଷ; ଏବେ ଦ୍ରାବିଡଙ୍କ ପାଇଁ ଅଗ୍ନି ପରୀକ୍ଷା

1 min read

ଦୁବାଇ: ଚଳିତ ଟି-୨୦ ବିଶ୍ବକପରୁ ଟିମ୍ ଇଣ୍ଡିଆର ଅଭିଯାନ ଶେଷ ହୋଇଛି । ଟି-୨୦ ବିଶ୍ବକପରୁ ଅଭିଯାନ ଶେଷ ହେବା ସହ ଭାରତୀୟ କ୍ରିକେଟରେ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ଚଳିତ ଟି-୨୦ ବିଶ୍ବକପରେ ମୁଖ୍ୟ କୋଚଙ୍କ ସହ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ରବି ଶାସ୍ତ୍ରୀଙ୍କ ପରେ ଭାରତୀୟ ଦଳରେ ମୁଖ୍ୟ କୋଚର ଭୂମିକା ତୁଲାଇବେ ଭାରତୀୟ କ୍ରିକେଟର ଓ୍ବାଲ ରାହୁଲ ଦ୍ରାବିଡ । ଚଳିତ ବିଶ୍ବକପ ଶେଷ ହେବାର କିଛି ଦିନ ପରେ ହିଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତରେ ଖେଳିବ ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ସିରିଜ ସହ ମୁଖ୍ୟ କୋଚ ଭାବରେ ରାହୁଲ ଦ୍ରାବିଡ ନିଜର କାର୍ଯ୍ୟଭାର ଆରମ୍ଭ କରିବେ ।

ଯଦି ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ କଥା କହିବା ତାହାଲେ ରବି ଶାସ୍ତ୍ରୀ ପ୍ରଥମ ଥର ପାଇଁ ୨୦୧୪ ମସିହାରେ ଟିମ୍ ଇଣ୍ଡିଆର ଡାଇରେକ୍ଟର ଭାବରେ ନିଯୁକ୍ତି ହୋଇଥିଲେ । ଏହି ସମୟରେ ତାଙ୍କ କାର୍ଯ୍ୟକାଳ ୨୦୧୬ ଟି-୨୦ ବିଶ୍ବକପ ପର୍ଯ୍ୟନ୍ତ ରହିଥିଲା । ଏହା ପରେ ଭାରତୀୟ ଦଳର ମୁଖ୍ୟକୋଚ ଭାବରେ ଦାୟିତ୍ବ ତୁଲାଇଥିଲେ ଅନିଲ କୁମ୍ଭଲେ । କିନ୍ତୁ ୨୦୧୭ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ ପରାଜୟ ବରଣ ପରେ ରବି ଶାସ୍ତ୍ରୀଙ୍କୁ ଫୁଲ ଟାଇମ୍ କୋଚ ଭାବରେ ନିଯୁକ୍ତି ଦିଆଯାଇଥିଲା । ତେବେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ଅଷ୍ଟ୍ରେଲିଆରେ ଦୁଇଟି ଟେଷ୍ଟ ସିରିଜରେ କବ୍ଜା କରିଥିଲା । ସେହି ପରି ଭାରତ ଶାସ୍ତ୍ରୀଙ୍କ ସମୟରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପହଞ୍ଚାଇଥିଲେ । କିନ୍ତୁ ଟ୍ରଫି ଜିତିବାରେ ସଫଳ ହୋଇନଥିଲେ । ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଭିତରେ ଭାରତ ଗୋଟିଏ ବି ଆଇସିସି ଟ୍ରଫି ନିଜ ନାମରେ କରିବାରେ ସଫଳ ହୋଇନଥିଲେ ।

ଶାସ୍ତ୍ରୀଙ୍କ ପାଇଁ ଶେଷ ସୁଯୋଗ ଥିଲା ଟି-୨୦ ବିଶ୍ବକପ । କିନ୍ତୁ ଚଳିତ ବିଶ୍ବକପରେ ନୈରାଶଜନକ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଦୁଇଟି ମ୍ୟାଚରେ ଶୋଚନୀୟ ପରାଜୟ ଶାସ୍ତ୍ରୀଙ୍କ ସ୍ବପ୍ନକୁ ଚୁରମାର ହୋଇଯାଇଥିଲା । ଯଦି ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କ ସଫଳତା ବିଷୟରେ କଥା ହେବା ତାହାଲେ ଏହି ଯୋଡି ପ୍ରାୟ ସାତ ବର୍ଷ ଭାରତୀୟ କ୍ରିକେଟରେ ରାଜ୍ କରିଥିଲେ । ଏହି ଦୁଇ ଯୋଡିଙ୍କ ଦ୍ବାରା ଭାରତ ୨୦୧୮-୧୯ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆ ମାଟିରେ ପରାସ୍ତ କରିଥିଲା । ଏଥିସହ ଭାରତ ଏସିଆର ପ୍ରଥମ ଟିମ୍ ଭାବରେ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ପରାସ୍ତ କରିଥିଲା । ୨୦୧୮-୧୯ ପରେ ପୁଣି ଥରେ ୨୦୨୦-୨୧ରେ ଭାରତ ଦ୍ବିତୀୟ ଥର ପାଇଁ ଅଷ୍ଟ୍ରେଲିଆକୁ ତାଙ୍କ ମାଟିରେ ପରାସ୍ତ କରିଥିଲା । ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଏହି ଦୁଇ ଯୋଡିଙ୍କ ଦ୍ବାରା ଭାରତ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା । ସେହିପରି ଭାବରେ ୨୦୧୯ ଦିନିକିଆ ବିଶ୍ବକପରେ ଏହି ଦୁଇ ଯୋଡି ଭାରତକୁ ସେମିଫାଇନାଲ ପର୍ଯ୍ୟନ୍ତ ନେଇଥିଲେ । କୋଚ୍ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ୪୨ ମାସ ପର୍ଯ୍ୟନ୍ତ ଟେଷ୍ଟରେ ନମ୍ବର-୧ ଟିମ୍ ଭାବରେ ରହିଥିଲା ।

ତେବେ ଏବେ ରବି ଶାସ୍ତ୍ରୀ ଗତକାଲି ଶେଷ ପ୍ରେସ କନଫରମେନ୍ସରେ କହିଥିଲେ କି ଆମ ଟିମ୍ ସବୁ ଫର୍ମାଟରେ ଭଲ ପ୍ରଦର୍ଶନ କରିଛି  ଓ କ୍ରିକେଟ ଇତିହାସରେ ସର୍ବଶ୍ରେଷ୍ଠ ଦଳ ହୋଇପାରିଛି । ତେବେ ଶାସ୍ତ୍ରୀଙ୍କ ପରେ ଏବେ ଭାରତୀୟ କ୍ରିକେଟକୁ ଆଗକୁ ନେବା ଦାୟିତ୍ବ ରହିଛି ରାହୁଲ ଦ୍ରାବିଡଙ୍କ ଉପରେ । ଆଗାମୀ ଦୁଇ ବର୍ଷ ମଧ୍ୟରେ ଦୁଇଟି ବିଶ୍ବକପ ହେଉଥିବାରୁ ରାହୁଲ ଦ୍ରାବିଡ ଭାରତକୁ ଆଇସିସି ଟ୍ରଫି ଜିତାଇବାରେ ସଫଳ ହେବେ ବୋଲି ଆଶା କରାଯାଉଛି ।

Leave a Reply