ସଚେତନ କରିବାକୁ ଯାଇ ହଟହଟା ହେଲେ ତହସିଲଦାର

ଦିଗପହଣ୍ଡି: ଘୋଡ଼ା ହାଡ଼ ଡ଼୍ୟାମ ମୁଖ୍ୟ ରାସ୍ତା କଡ଼ରେ ଥିବା ବିଦେଶୀ ମଦ ଦୋକାନକୁ କରୋନା ସଚେତନତା କରିବାକୁ ଯାଇ ହଟହଟା ହେଲେ ଦିଗପହଣ୍ଡି ତହସିଲଦାର ଅଦୈତ୍ୟ କୁମାର ସ୍ୱାଇଁ । ଏହି ସମୟର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଗତ୧୪ ତାରିଖର ଏହି ଭିଡ଼ିଓ ।

ଏଥିରେ ତହସିଲଦାରଙ୍କ ସମେତ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କୁ କିଛି ମଦୁଆ ଓ ଫାଷ୍ଟ ଫୁଡ୍ ଦୋକାନୀ ଘେରିଛନ୍ତି ଓ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି । ଏଭଳି କି ଧମକାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।

ଚାରିଆଡ଼େ କରୋନାକୁ ନେଇ ଜିଲ୍ଲା ପ୍ରଶାସନ ସଚେତନ କରିବା ସହ ସଫେଇ ଓ ଜନଗହଳି ନକରି ରହିବାକୁ ପରାମର୍ଶ ଦେଉଛି। ଏଭଳି ବାର୍ତ୍ତା ଦେବାକୁ ମିଳିତ ଭାବେ ଯାଉଥିବା ସମୟରେ ଏହି ମଦ ଦୋକାନ ନିକଟରେ ଗହଳି ଦେଖିଥିଲେ। ବାହାରେ ୫୦ରୁ ଊର୍ଦ୍ଧ୍ୱ ଲୋକ ମଦ ପିଉଥିଲେ । ଚାରିଆଡେ ଅଳିଆ, ମଦ ବୋତଲ ଓ ପ୍ଲାଷ୍ଟିକ ପାଣି ବୋତଲ ପଡ଼ିଥିଲା । ତା’ ସହ ବହୁ ଲୋକ ପାଖାପାଖି ଛିଡ଼ାହୋଇଥିଲେ  । କରୋନାର ସଂକ୍ରମଣ ଜନିତ ରୋଗ ହୋଇଥିବା ବେଳେ ଗୋଟିଏ ଜାଗାରେ ବହୁ ଲୋକଙ୍କ ସମାଗମକୁ ବାରଣ କରାଯାଇଛି । ଏଣୁ ଏଭଳି ସ୍ଥିତି ଦେଖି ଅଧିକାରୀମାନେ ଓହ୍ଲାଇ ମଦ ଦୋକାନ ସମ୍ମୁଖରେ ଉପସ୍ଥିତ ଥିବା ଗ୍ରାହକ ଓ ଦୋକାନୀଙ୍କୁ ଏଭଳି ଗହଳି ନକରିବାକୁ ପରାମର୍ଶ ଦେବା ଦେଇଥିଲେ। ଏତିକି ବେଳେ ଆଖପାଖ ଫାଷ୍ଟ ଫୁଡ଼ ଦୋକାନୀ ଓ କିଛି ମଦ୍ୟପ ମିଶି ଧମକ ଦେଇଥିଲେ। ପରେ ପୋଲିସକୁ ଖବର ଦେବା ପରେ ସେମାନେ ଛତ୍ର ଭଙ୍ଗ ଦେଇଥିଲେ। ତେବେ ସେହି ସମୟରର କିଛି ଲୋକ ଭିଡ଼ିଓ ଉତ୍ତୋଳନ କରିଥିଲେ। ଯାହା ଆଜି ଭାଇରଲ ହେଉଛି । ଭିଡିଓଟି ଭାଇରଲ ହେବାପରେ ସ୍ଥାନୀୟ ଲୋକଙ୍କ ମଧ୍ୟ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏବଂ ମଦ ଦୋକାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

 

Leave a Reply