ଭୁବନେଶ୍ୱର : ଛାତି ଥରାଇ ଦେଉଛି ଥର୍ । ଚାଲୁଛି କମ୍, ପିଟୁଛି ବେଶୀ। କ୍ୟାପିଟାଲ ହସ୍ପିଟାଲ ଛକ ପରେ ଚନ୍ଦକାରେ ଚାଞ୍ଚଲ୍ୟ । ୯ ଅଗଷ୍ଟ ୨୦୨୫ । ପାତ୍ରପଡା ଛକରେ ହିଟ ଆଣ୍ଡ ରନ ଘଟାଇଲା ଥର । ଚାଲିଗଲା ୨ ନିଷ୍ପାପ ଜୀବନ । ୧୧ ନଭେମ୍ବର ଏଜିରୁ ଆଚାର୍ଯ୍ୟ ବିହାର ଯାଏଁ ସିରିଜ ଦୁର୍ଘଟଣା ଘଟାଇଥିଲା ଏ ଥର । ୧୯ ନଭେମ୍ବର । ଲକ୍ଷ୍ମୀସାଗର ମେଳନ ପଡିଆ ନିକଟରେ ସ୍କୁଟିକୁ ଟାଣିନେଲା ଏ ଥର । ପୁଣି ଗତକାଲି ରାତିରେ କିଲର ସାଜିଛି ଏ ଗାଡି । କ୍ୟାପିଟାଲ ହସ୍ପିଟାଲ ଛକ ନିକଟରେ ବୁଲେଟରେ ଯାଉଥିବା ୩ ଯୁବକଙ୍କୁ ଧକ୍କା ଦେଇଛି । ପୁରୁଣା ଭୁବନେଶ୍ୱର ଅଞ୍ଚଳର ରାଜା ପେଦିନିଙ୍କ ମୃତ୍ୟୁ ଘଟିଛି। ଦୁଇ ଗୁରୁତର କଟକ ବଡ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି । ଏକ ପାର୍ଲରରେ କାମ କରି ନିଜ ପେଟ ପୋଷୁଥିଲେ ରାଜା । କିନ୍ତୁ ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଶୋକର ଛାୟା।
ଦୁର୍ଘଟଣା ଘଟାଇବା ପରେ ଥର ଗାଡିକୁ ଜବତ କରିଛି କ୍ୟାପିଟାଲ ଥାନା ପୋଲିସ । ଗାଡି ଭିତରେ ପଡିଛି ଚାଖଣା, କୋଲଡ଼ ଡ୍ରିଂକ୍ସ ଓ ଗ୍ଲାସ। ସେପଟେ ଆଜି ସକାଳୁ ଫେରାର ହୋଇଯାଉଥିବା ଅଭିଯୁକ୍ତ ଓ ଗାଡି ମାଲିକଙ୍କୁ କାବୁ କରିଛନ୍ତି ସ୍ଥାନୀୟ ଯୁବକ । ଫରେଷ୍ଟ ପାର୍କ ନିକଟରେ ଦୁଇ ପକ୍ଷ ମଧ୍ୟରେ ଉତ୍ତେଜନା ପରିସ୍ଥିତର ଏ ଦୃଶ୍ୟ। ଅନ୍ୟପଟେ ଚନ୍ଦକା ଥାନାରେ ମଧ୍ୟ ଆଉ ଏକ ଥର ଦୁର୍ଘଟଣା ଘଟାଇଛି । ଭେନ୍ୟୁ ସହ ଧକ୍କା ପରେ ଦୁଇଟି ଗାଡିକୁ ଅଟକ ରଖିଛି ପୋଲିସ । ତେବେ ବାରମ୍ବାର ଏଭଳି ଦୁର୍ଘଟଣା ଏବେ ପୋଲିସର ମୁଣ୍ଡବିନ୍ଧା ପାଲଟିଛି । ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଡିସିପି । ଗୋଟିଏ ପଟେ ସଡକ ସୁରକ୍ଷା ମାସ ଚାଲିଛି । ନିରୀହଙ୍କ ଫାଇନ ବି କଟୁଛି । କିନ୍ତୁ ବିଭାଗୀୟ ଉଦାସୀନତା ଓ ଲୋକଙ୍କ ସଚେତନତା ଅଭାବରୁ ଦୁର୍ଘଟଣା ଘଟି ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡୁଛି।

