ଥାଇଲାଣ୍ଡରେ ଦଶନ୍ଧି ବ୍ୟାପୀ ସାମରିକ ଶାସନର ଅବସାନ, ସାଧାରଣ ନିର୍ବାଚନରେ ଗଣତନ୍ତ୍ରପନ୍ଥୀଙ୍କ ବିଜୟ

ନୂଆଦିଲ୍ଲୀ: ଥାଇଲାଣ୍ଡରେ ଦଶନ୍ଧି ବ୍ୟାପୀ ସାମରିକ ଶାସନର ଅବସାନ । ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଗଣତନ୍ତ୍ରପନ୍ଥୀଙ୍କ ହୋଇଛି ବିଜୟ । ମୁଭ ଫରଓ୍ବାର୍ଡ ପାର୍ଟି ବା ଏମଏଫପି ସର୍ବାଧିକ ୧୫୧ ଆସନ ଲାଭ କରିଥିବାବେଳେ ସରକାର ଗଠନ ଲାଗି ପ୍ରସ୍ତୁତ ହୋଇଛି । ୫୦୦ ସଦସ୍ୟ ବିଶିଷ୍ଟ  ସଂସଦ ଲାଗି ହୋଇଥିବା ନିର୍ବାଚନରେ ପିଟା ଲିମଜାରୋନେରାଟ ନେତୃତ୍ବାଧୀନ ଏମଏଫପିକୁ ୧୫୧ ଆସନ, ପାତେନୋତାର୍ନ ସିନାବାତ୍ରା ନେତୃତ୍ବାଧୀନ ଫିଉ ଥାଇକୁ ୧୪୧ ଆସନ ମିଳିଛି । ଅନୁତିନ ଚାର୍ମବୀରକୁଳ ନେତୃତ୍ବାଧୀନ ଭୁମଜାଇଥାଇ ଦଳକୁ ୭୦ ଆସନ ମିଳିଛି । ପ୍ରବୀତ ଉଙ୍ଗସୁଆନ ନେତୃତ୍ବାଧୀନ ପାଲାଙ୍ଗ ପ୍ରଚାରତ ଦଳକୁ ମିଳିଛି ୪୦ ଆସନ । ପ୍ରୟୁତ ଚାନ ଚାଚା ନେତୃତ୍ବାଧୀନ ୟୁନାଇଟେଡ ଥାଇ ନ୍ୟାସନାଲ ପାର୍ଟି ବା ୟୁଟିଏନକୁ ମିଳିଛି ୩୬ ଆସନ । ୟୁଟିଏନକୁ ସାମରିକ ଜୁଣ୍ଟା ସମର୍ଥନ କରୁଛି । ଏମଏଫପି ନେତା ପିଟା ସମ୍ଭବତଃ ପ୍ରଧାନମନ୍ତ୍ରୀ ହେବାର ଆଶା ଉଜ୍ଜ୍ବଳ ହୋଇଛି । ନିର୍ବାଚନରେ ଭାଗ ନେଇଥିଲେ ମୋଟ ୬୭ଟି ରାଜନୈତିକ ଦଳ ।

ତେବେ ଏହି ନିର୍ବାଚନରେ ସିନାବାତ୍ରାଙ୍କ ଦଳ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଫିଉ ଥାଇ ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଲୟନେୟାର ଥାକସିନ ସିନାବାତ୍ରାଙ୍କ ଦ୍ବାରା ପ୍ରତିଷ୍ଠିତ ଦଳ । ୨୦୦୧ ପରଠାରୁ ସିନାବାତ୍ରାଙ୍କ ଦଳ ଅନ୍ୟ ଦଳ ସହାୟତାରେ ସରକାର ଗଠନ କରିଆସୁଥିଲା । ଗତ ୨୦୧୪ରେ ସାମରିକ ବିଦ୍ରୋହ ଜରିଆରେ ପୂର୍ବତନ ସେନାମୁଖ୍ୟ ପ୍ରୟୁତ ଚାନ ଚାଚା କ୍ଷମତା ଦଖଲ କରିବା ପରଠାରୁ ଦେଶରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଆସୁଥିଲା । ଯଦିଓ ଏମଏଫପି ଓ ଫିଉ ଥାଇ ସଂଖ୍ୟାଗରିଷ୍ଠତା ଲାଭ କରିଛନ୍ତି ତଥାପି ୨୦୧୭ରେ କରାଯାଇଥିବା ସମ୍ବିଧାନ ସଂଶୋଧନ ଅନୁସାରେ ଉଭୟ ଦଳ ମିଳିତ ସରକାର ଗଠନ କରିବା କଷ୍ଟସାଧ୍ୟ ହେବ । ନିୟମ ଅନୁସାରେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ୫୦୦ ନବନିର୍ବାଚିତ ସାଂସଦ ଓ ପ୍ରୟୁତଙ୍କ ଜୁଣ୍ଟା ପାର୍ଟି ଅର୍ଥାତ ୟୁଟିଏନ ଦ୍ବାରା ନିଯୁକ୍ତି ୨୫୦ ସିନେଟ ସଦସ୍ୟ ଚୟନ କରିବେ ।