ଥାଇଲାଣ୍ଡ ବରକୋଳି ଚାଷ କରି ସଫଳ ଚାଷୀ ଚନ୍ଦନ

ସତ୍ୟବାଦୀ: କଥାରେ ଅଛି ଚାଷ ଅଛି ଯାହାର କି ସୁଖ ତାହାର। ଚାକିରି ଛାଡି ଚାଷ କରି ସ୍ଵାବଲମ୍ବୀ ପାଲଟିଛନ୍ତି ସତ୍ୟବାଦୀ ବ୍ଲକ ଗୁଆଳି ଗୋରଡା ଅଞ୍ଚଳର ଚନ୍ଦନ କୁମାର ଖୁଣ୍ଟିଆ । ଚାଷ କରି ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହିତ ଅନ୍ଯକୁ ଦେଉଛନ୍ତି ରୋଜଗାର। ପାଲଟିଛନ୍ତି ଅନ୍ଯ ପାଇଁ ପ୍ରେରଣା ।

ଚାଷ ଦେଉଛି ରୋଜଗାର । ଚାକିରୀ ପଛରେ ନଗୋଡେଇ କ୍ଷେତରେ ସୁନାର ଫସଲ ଫଳାଇଛନ୍ତି ସତ୍ଯବାଦୀ ବ୍ଲକ ଗୋରଡା ଅଞ୍ଚଳର ଚନ୍ଦନ କୁମାର ଖୁଣ୍ଟିଆ । ଥାଇଲାଣ୍ଡ ବରକୋଳି ଚାଷ କରି ହୋଇଛନ୍ତି ସଫଳ ଚାଷୀ ।  ୧୨ ବର୍ଷ ହେବ ଜୈବିକ ପଦ୍ଧତିରେ ଚାଷ କରି ନିଜେ ରୋଜଗାରକ୍ଷମ ହେବା ସହ ଅନ୍ଯକୁ ଦେଉଛନ୍ତି ରୋଜଗାର।  କଲିକତାରୁ ୨୫୦ଟି ଥାଇଲାଣ୍ଡ ବରକୋଳି ଚାରା ଆଣି ଚାଷ କରି ଦୈନିକ କୁଇଣ୍ଟାଲରୁ ଅଧିକ କୋଳି ଅମଳ କରୁଛନ୍ତି ।

ବଜାରରେ କୋଳିର ଚାହିଦା ଭଲ ରହିଛି । କୋଳି ସହିତ କାଙ୍କଡ, ପନିପରିବା ଚାରା ପ୍ରସ୍ତୁତ କରି ଚାଷ କରିବା ପାଇଁ ଅନ୍ଯ ଚାଷୀଙ୍କୁ ଦେଉଛନ୍ତି ପ୍ରୋତ୍ସାହନ । ବିଭିନ୍ନ ଟ୍ରେନିଂ ଆୟୋଜନ କରି ଚାଷୀ ମାନଙ୍କୁ ନୂତନ ଜ୍ଞାନ କୌଶଳ ପ୍ରଦାନ କରି ଅନ୍ଯମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ଚନ୍ଦନଙ୍କ ଜ୍ଞାନ କୌଶଳରେ ପ୍ରେରିତ ହୋଇ ଅନେକଙ୍କର ଚାଷ ପ୍ରତି ଆଗ୍ରହ ସୃଷ୍ଟି ହୋଇଛି । ତାଙ୍କୁ ଚାଷ କାର୍ଯ୍ଯ ନିମନ୍ତେ ସରକାରଙ୍କ ପକ୍ଷରୁ ଅନେକ ସାହାର୍ଯ୍ଯ ସହଯୋଗ ଯୋଗାଇଦିଆଯାଉଥିବା ନେଇ ଉଦ୍ଯାନ ବିଭାଗ ଅଧିକାରୀ କହିଛନ୍ତି ।