ଟେକ୍ସାସର ଏକ ସ୍କୁଲରେ ଭୟାନକ ଗୁଳିକାଣ୍ଡ, ୧୮ ଛାତ୍ରଛାତ୍ରୀ ମୃତ

ଟେକ୍ସାସ: ଆମେରିକା ଟେକ୍ସାସରେ ପୁଣି ଭୟାନକ ଗୁଳିକାଣ୍ଡ । ଜଣେ ୧୮ ବର୍ଷ ବୟସ୍କଙ୍କ ଆଖିବୁଜା ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି ୧୮ ଛାତ୍ରଛାତ୍ରୀ ଓ ୩ ଜଣ ଶିକ୍ଷକ ଓ କର୍ମଚାରୀ । ଟେକ୍ସାସ ଉଭାଲଡେ ଅନ୍ତର୍ଗତ ରବ୍ ଏଲିମେଣ୍ଟାରୀ ସ୍କୁଲରେ ଘଟିଥିବା ଏହି ଲୋମହର୍ଷକ କାଣ୍ଡରେ ଆତତାୟୀ ସାଲଭାଡର ରାମୋସକୁ ଗୁଳି କରି ହତ୍ୟା କରାଯାଇଥିବାବେଳେ ତା ନିକଟରୁ ଏକ ହ୍ୟାଣ୍ଡଗନ ଓ ଏକ ରାଇଫଲ ଜବତ ହୋଇଛି । ଜଣେ ଆତତାୟୀ ଏହି ସ୍କୁଲ ଭିତରେ ପଶିଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଉଭାଲଡେ ସ୍କୁଲ ଡିଷ୍ଟ୍ରିକ୍ଟର ସମସ୍ତ ସ୍କୁଲକୁ ବନ୍ଦ କରି ଦିଆଯାଇଥିଲା ।

ତେବେ ସୁଯୋଗ ଦେଖି ଆତତାୟୀ ଜଣକ ଏହି ସ୍କୁଲରେ ନାରକୀୟ କାଣ୍ଡ ଘଟାଇବାକୁ ସକ୍ଷମ ହୋଇଥିଲା । ଏହି ସ୍କୁଲରେ ୬୦୦ରୁ ଅଧିକ ଦୁର୍ବଳ ବର୍ଗର ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଥିଲେ । ଏହି ଘଟଣା ପରେ ରାଷ୍ଟ୍ରପତି ଜୋ ବାଇଡେନ ଘଟଣାର ସମୀକ୍ଷା କରିଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଗତ ୨୦୧୮ରେ ଫ୍ଲୋରିଡାର ପାର୍କଲାଣ୍ଡରେ ମଧ୍ୟ ସମଧରଣର ଗୁଳିକାଣ୍ଡ ଘଟିଥିଲା । ଏଥିରେ ୧୪ ଛାତ୍ରଛାତ୍ରୀ ଓ ୩ ଜଣ କର୍ମଚାରୀ ପ୍ରାଣ ହରାଇଥିଲେ । ସେହିପରି ୨୦୧୨ରେ କନେକ୍ଟିକଟର ସାଣ୍ଡି ହୁକରେ ଘଟିଥିବା ଗୁଳିକାଣ୍ଡରେ ୨୦ ଛାତ୍ରଛାତ୍ରୀ ଓ ୬ କର୍ମଚାରୀ ପ୍ରାଣ ହରାଇଥିଲେ । ଗତ ମେ ୧୪ରେ ନ୍ୟୁୟର୍କ ବଫାଲୋରେ ଜଣେ ଯୁବକଙ୍କ ଗୁଳିରେ ୧୦ ଜଣ ପ୍ରାଣ  ହରାଇଥିଲେ । ତେବେ  ବିଗତ କିଛି ବର୍ଷ ଧରି ଆମେରିକାରେ ବନ୍ଧୁକ ସଂସ୍କୃତି ବୃଦ୍ଧି ପାଇବାରେ ଲାଗିଛି ।