’ରାଜ୍ୟରେ ବଢ଼ୁଛି ଟେଷ୍ଟିଂ କମୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା’

1 min read

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଟେଷ୍ଟିଂ କମୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ପ୍ରତିବର୍ଷ ଭଳି ବି ଚଳିତ ବର୍ଷ ସଂଖ୍ୟା କମ୍ ରହିବ ବୋଲି ସ୍ପଷ୍ଟ କରିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।  ୨୦୨୧ରେ ୪୨ ହଜାର ୬୩୮ ଟେଷ୍ଟିଂରୁ ୭ ହଜାର ୫୪୮ ରୋଗୀ ଚିହ୍ନଟ ହୋଇଥିଲେ । ୨୦୨୨ରେ ଟେଷ୍ଟିଂ ବଢ଼ି ୫୪ ହଜାର ୧୯୦ରେ ପହଞ୍ଚିଥିଲା । ଏଥିରୁ ୭ ହଜାର ୬୩ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଚଳିତ ବର୍ଷ ଜୁନ ୨୭ ସୁଦ୍ଧା ୧୦ ହଜାର ୬୦୩ ଟେଷ୍ଟରୁ ୧୬୫ ରୋଗୀ ଚିହ୍ନଟ ହୋଇଛନ୍ତି । ଟେଷ୍ଟ ଦ୍ବିଗୁଣିତ ହୋଇଛି । ଏଯାଏ କୌଣସି ମୃତ୍ୟୁ ଖବର ଆସିନି । ମୌସୁମୀ ବା ପ୍ରାକ ମୌସୁମୀ ସମୟରେ ଏଡିସ୍ ମଶାର ବଂଶ ବୃଦ୍ଧି ହେବାରୁ ଡେଙ୍ଗୁ ହୋଇଥାଏ । ଏଥିପାଇଁ ସପ୍ତାହରେ ଥରେ କୁଲର, ଟାଙ୍କି ପାଣି ବଦଳାଇବା ଆବଶ୍ୟକ ବୋଲି ପରାମର୍ଶ ଦେଇଛନ୍ତି ନିରଞ୍ଜନ ମିଶ୍ର ।

ଏଡିସ୍ ମଶା ବଗିଚା ବା ବାହାରେ ଅଧିକାଂଶ କାମୁଡୁ ଥିବାରୁ ଫୁଲ ଡ୍ରେସ୍ ପିନ୍ଧି ବାହାରକୁ ଯିବା ଆବଶ୍ୟକ । ରାଜ୍ୟର ୪୦ ସ୍ଥାନରେ ଏଲିସା ପଦ୍ଧତିରେ ମାଗଣାରେ ଟେଷ୍ଟ ଚାଲିଛି । ସ୍ବତନ୍ତ୍ର ବେଡ୍ ଓ ଔଷଧ ମହଜୁଦ ରଖିବା ସହ ରକ୍ତ ଓ ପ୍ଲେଟଲେଟ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ପୌର ପରିଷଦ ଓ ଜିଲ୍ଲା ହେଡକ୍ଵାଟର ହସ୍ପିଟାଲକୁ SOP ଯାଇଛି । ଜିଲ୍ଲାପାଳମାନଙ୍କୁ ନେଇ ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ । ସମସ୍ତ ପୌରର ନିର୍ବାଚିତ ପ୍ରତିନିଧିମାନଙ୍କୁ ଏ ଦିଗରେ ସଚେତନ କରାଯାଉଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।