ଜମ୍ମୁ ଓ କାଶ୍ମୀରରେ ମାତିଛନ୍ତି ଆତଙ୍କବାଦୀ, ଆକ୍ରମଣ ପଛରେ ଲସ୍କରର ହାତ

1 min read

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ମାତିଛନ୍ତି ଆତଙ୍କବାଦୀ। ଲଗାତାର କିଛି ଦିନ ଧରି ଯବାନଙ୍କୁ କରୁଛନ୍ତି ଟାର୍ଗେଟ। ତେବେ ଗତମାସରେ ରିଆସି ଜିଲ୍ଲାରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଉପରେ ହୋଇଥିବା ଭୟଙ୍କର ଆକ୍ରମଣ ଘଟଣାରେ ପାକିସ୍ତାନଭିତ୍ତିକ ଲସକର-ଇ-ତଏବା ସଂଗଠନର ହାତ ଥିବା ସ୍ପଷ୍ଟ ହୋଇଛି।

ସେହି ଘଟଣାରେ ଜଡିତ ଆତଙ୍କବାଦୀକୁ ଗିରଫ କରାଯାଇ ଜେରା କରାଯିବା ପରେ ଅନେକ ଯୋଜନା ସମ୍ପର୍କରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ସୂଚନା ପାଇଛି। ବସ୍ ଆକ୍ରମଣ ଘଟଣାରେ ହକମ ଖାଁ ଓରଫ ହାକିନ ଦିନକୁ ଗିରଫ କରାଯାଇଥିଲା। ସେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ସହ ଖାଦ୍ଯ ଓ ଜିନିଷ ପରିବହନ କରୁଥିଲା ବୋଲି ଏନଆଇଏ ଜାଣିବାକୁ ପାଇଛି।

ଗତ ଜୁନ ୯ରେ ହୋଇଥିବା ଆକ୍ରମଣ ଘଟଣାରେ ୯ ଜଣ ଲୋକ ପ୍ରାଣ ହରାଇଥିଲେ ଓ ୪୧ ଜଣ ଆହତ ହୋଇଥିଲେ। ଶିବଖୋରି ମନ୍ଦିରରୁ ବୈଷ୍ଣୋଦେବୀ ମନ୍ଦିରକୁ ଯିବାବେଳେ ଏହି ଆକ୍ରମଣ ଘଟିଥିଲା। ସେପଟେ ଏପରି ଆକ୍ରମଣ ଘଟଣା ମଧ୍ଯରେ ଜାମୁ ଓ କାଶ୍ମୀରରେ କିପରି ନିର୍ବାଚନ ପରିଚାଳନା କରାଯିବା ତାହାକୁ ନେଇ ସସପେନ୍ସ ସୃ଼ଷ୍ଟି ହୋଇଛି।

ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ବାଚନ ସାରିବା ଲାଗି ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଥିବାବେଳେ ଆତଙ୍କ ଜର୍ଜରିତ ଜାମ୍ମୁ ଓ କାଶ୍ମୀରରେ କିପରି ନିର୍ବାଚନ ହେବ ତାହାକୁ ନେଇ ସଂଶୟ ସୃଷ୍ଟି ହୋଇଛି। ନିର୍ବାଚନ ପରିଚାଳନା ବେଳେ ପ୍ରାର୍ଥୀଙ୍କ ସୁରକ୍ଷା ବଡ ଚାଲେଞ୍ଜ ହେବ ବୋଲି ସୂଚନା ମିଳିଛି। କେବଳ ଚଳିତ ବର୍ଷ ଜାମ୍ମୁ ଓ କାଶ୍ମୀରରେ ୨୬ଟି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଲାଣି ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ। ଚଳିତ ବର୍ଷ ୯ ଯବାନଙ୍କ ମୃତ୍ଯୁ ଘଟିଥିବାବେଳେ ୨୮ ଆତଙ୍କବାଦୀ ପ୍ରାଣ ହରାଇଲେଣି। ସେପେଟେ କଡ଼ା ସୁରକ୍ଷା ମଧ୍ଯରେ ଜାରି ରହିଛି ଅମରନାଥ ଯାତ୍ରା।