ଜାମମୁ କାଶ୍ମୀର ବାନ୍ଦିପୋରାରେ ଟଳିଲା ଜଣେ ଆତଙ୍କବାଦୀ

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଏନକାଉଣ୍ଟର। ବାନ୍ଦିପୋରା ଜିଲ୍ଲା ଆରାଗାମ ଅଂଚଳରେ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇ ଜଣେ ଆତଙ୍କବାଦୀ ନିପାତ ହୋଇଛି। ମୃତ ଆତଙ୍କୀର ପରିଚୟ ମିଳିପାରନାହିଁ। ଆଉ ଜଣେ ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ।

ଉତ୍ତର କାଶ୍ମୀର ବାନ୍ଦିପୋରା ଅଂଚଳରେ ଗତକାଲି ରାତିରୁ ଆରମ୍ଭ ହୋଇଛି ଏହି ଗୁଳିବିନିମୟ। ଦୁଇ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ। ଏବେବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି। ଜାମ୍ମୁକାଶ୍ମୀରରେ ଲଗାତାର ଆତଙ୍କବାଦୀ ଆକ୍ରମଣକୁ ନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଅପରେସନ ଚାଲିଛି।

ଆଜି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନୀଲ ଚୌହାନ ଜାମ୍ମୁ ଗସ୍ତରେ ଯାଉଛନ୍ତି। ଆତଙ୍କବାଦୀ ନିପାତ ଅପରେସନର ସମୀକ୍ଷା କରିବେ ସିଡିଏସ। ନାଗରୋଟାରେ ବର୍ତ୍ତମାନର ସ୍ଥିତି ନେଇ ଆଲୋଚନା କରିବେ। ଗତକାଲି ଦିଲ୍ଲୀରେ ଜାମ୍ମୁ କାଶ୍ମୀର ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ବସିଥିଲା ଉଚ୍ଚସ୍ତରୀୟ ବୈଠକ। ଏଥିରେ ଅପରେସନକୁ ଜୋରଦାର କରାଯାଇଛି। ଜିରୋ ଟେରର ନୀତି ଆପଣାଇଛନ୍ତି ସରକାର। ଉପଦ୍ରବ ଚଳାଇଥିବା ଆତଙ୍କବାଦୀକୁ ସୁରକ୍ଷାକର୍ମୀ କଡ଼ା ଜବାବ ଦେବାକୁ ନିଷ୍ପତ୍ତି ହୋଇଛି।

ଗତ ଦୁଇ ସପ୍ତାହ ଧରି ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ରିଆସି, କଠୁଆ, ଡୋଡା ଜିଲ୍ଲାରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏଥିରେ ୯ ସାଧାରଣ ଲୋକଙ୍କ ମୃତ୍ୟୁ ହେବା ସହ ଜଣେ ସିଆରପିଏଫ୍ ଯବାନ୍ ସହିଦ ହୋଇଥିଲେ। ଗତ ୧୨ ତାରିଖରେ କଠୁଆରେ ସେନାର ପାଲଟା ଜବାବରେ ଦୁଇ ଆତଙ୍କବାଦୀ ନିପାତ ହୋଇଥିଲେ। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା।