ନାଇଜେରିଆରେ ପୁଣି ମାତିଲେ ବୋକୋ ହାରାମ ଜିହାଦି, ୧୧ କୃଷକଙ୍କ ଗଳା କାଟି ହତ୍ୟା

ନୂଆଦିଲ୍ଲୀ: ନାଇଜେରିଆରେ ପୁଣି ମାତିଲେ ବୋକୋ ହାରାମ ଜିହାଦି । ଉତ୍ତରପୂର୍ବ ନାଇଜେରିଆରେ ୧୧ କୃଷକଙ୍କୁ ଗଳା କାଟି ହତ୍ୟା କରିଛନ୍ତି । ବୋର୍ଣ୍ଣୋ ପ୍ରଜାତନ୍ତ୍ର ରାଜଧାନୀ ମାଇଦୁଗୁରୀରେ ବୋକୋ ହାରାମ ଗୋଷ୍ଠୀର ସଦସ୍ୟମାନେ ଘଟାଇଛନ୍ତି ଅମାନବୀୟ କାର୍ଯ୍ୟ । ପ୍ରଥମେ କୃଷକଙ୍କ ହାତ ବାନ୍ଧି ଦେବା ପରେ ସେମାନଙ୍କ ଗଳା କାଟି ଦେଇଥିବା ସୂଚନା ମିଳିଛି । ଜିହାଦିଙ୍କ ଆକ୍ରମଣରୁ ବର୍ତ୍ତିବା ଲାଗି ଶହ ଶହ ଲୋକ କିଛି ମାସ ତଳେ ମାଇଦୁଗୁରୀ ଅଞ୍ଚଳ ତ୍ୟାଗ କରି ପଳାୟନ କରିଥିଲେ । ସେମାନେ ଫେରିବା ପରେ ପୁଣି ଆତଙ୍କ ରଚିଛନ୍ତି ବୋକୋ ହାରାମ ସଂଗଠନ ସଦସ୍ୟ । ବୋକୋ ହାରାମ ଓ ଇସଲାମିକ ଷ୍ଟେଟ ଓ୍ବେଷ୍ଟ ଆଫ୍ରିକା ପ୍ରୋଭିନ୍ସ ବା ଆଇଏସଡବ୍ଲୁଏପି ମଧ୍ୟରେ ଦୀର୍ଘ ଦିନ ଧରି ସଂଘର୍ଷ ଜାରି ରହିଛି । ଏହି ସଂଘର୍ଷରେ ଚାଷୀ, ଧୀବର, ଗୋପାଳକମାନଙ୍କୁ ଟାର୍ଗେଟ କରାଯାଉଛି । ସେମାନେ ମିଲିଟାରୀ ଓ ସ୍ଥାନୀୟ ଆତଙ୍କବାଦୀ ସଂଗଠନକୁ ଗୋପନ ସୂଚନା ଦେବା ଅଭିଯୋଗରେ ସେମାନଙ୍କୁ ଟାର୍ଗେଟ କରାଯାଉଛି ।

ଗତ ମାସରେ ବି ବୋର୍ଣ୍ଣୋ ପ୍ରଜାତନ୍ତ୍ରର ବାଙ୍କୀ ଜିଲ୍ଲାରେ ୭ ଜଣ କୃଷକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ଦୀର୍ଘ ବର୍ଷର ସଂଘର୍ଷରେ ନାଇଜର, ଚାଦ ଓ କାମେରୁନରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେ ୪୦ ହଜାର ଲୋକ, ବିସ୍ଥାପିତ ହେଲେଣି ପ୍ରାୟ ୨୦ ଲକ୍ଷ ଲୋକ । ଏକ ବିଶୁଦ୍ଧ ଇସଲାମିକ ରାଷ୍ଟ୍ର ଗଠନ ଆଭିମୁଖ୍ୟ ନେଇ ଦୀର୍ଘ ଦୁଇ ଦଶନ୍ଧି ଧରି ରକ୍ତାକ୍ତ ଅଭିଯାନ ଜାରି ରଖିଛି ବିଶ୍ବର ସବୁଠାରୁ ଭୟଙ୍କର ଆତଙ୍କବାଦୀ ସଂଗଠନ ବୋକୋ ହାରାମ । ୨୦୧୬ରେ ସଂଗଠନ ବିଭାଜିତ ହେବା ପରେ ଗଠିତ ହୋଇଥିଲା ଇସଲାମିକ ଷ୍ଟେଟ ଓ୍ବେଷ୍ଟ ଆଫ୍ରିକା ପ୍ରୋଭିନ୍ସ ବା ଆଇଏସଡବ୍ଲୁଏପି ।