ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ ଆତଙ୍କବାଦୀ ବୁରହାନ ୱାନିର ବାପା

ଶ୍ରୀନଗର: ୭୫ତମ ସ୍ୱାଧିନତା ଦିବସ ଅବସରେ କେନ୍ଦ୍ର ଶାସିତ ରାଜ୍ୟ ଜମ୍ମୁ କାଶ୍ମୀରର ତ୍ରାଲରେ ନିହତ ଆତଙ୍କବାଦୀ ବୁରହାନ ୱାନିର ପିତା ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ସୂଚନାଯୋଗ୍ୟ ଯେ, ବୁରହାନର ପିତା ଅହମ୍ମଦ ବାନି ତ୍ରାଲ ହାୟର ସେକେଣ୍ଡାରି ସ୍କୁଲର ହେଡମାଷ୍ଟର ଅଟନ୍ତି । ସୂଚନାଯୋଗ୍ୟ ଯେ, ବୁରହାନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଥିଲା । ସେନା ସହିତ ସଂଘର୍ଷରେ ୨୦୧୬ରେ ସେ ପ୍ରାଣ ହରାଇଥିଲା ।
ବୁରହାନ ଜୀବିତ ଥିବା ବେଳେ କାଶ୍ମୀରରେ ଆତଙ୍କବାଦର ପୋଷ୍ଟର ବୟ ଥିଲା । ସେ ସୋସିଆଲ ମିଡିଆରେ ବେଶ ପରିଚିତ ଥିଲା । ତାକୁ ଦେଖି ଅନେକ ଯୁବକ ଆତଙ୍କବାଦୀଙ୍କ ସହିତ ଯୋଗ ଦେଇଥିଲେ ।
ବୁରହାନ ଅନେକ ସମୟରେ ସେନା ଓ ପୋଲିସକୁ ସୋସିଆଲ ମିଡିଆରେ ଚ୍ୟାଲେଂଜ କରୁଥିଲା । ୨୦୧୬ରେ ସୁରକ୍ଷକର୍ମୀଙ୍କ ସହିତ ସଂଘର୍ଷରେ ସେ ପ୍ରାଣ ହରାଇବା ପରେ ତା’ର କାଶ୍ମୀରରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଥିଲା । ବୁରହାନର ପିତାଙ୍କ ନେତୃତ୍ୱରେ ତ୍ରାଲରେ ମଧ୍ୟ ବିକ୍ଷୋଭ ହେଉଥିଲା । ତେବେ ୫ ବର୍ଷ ପରେ ଏବେ ବୁରହାନର ପିତା ଜାତୀୟ ପତାକା ଉତ୍ତୋଳନ କରିବାକୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି ।
୨୦୧୦ ମସିହାରେ ବୁରହାନ ମାତ୍ର ୧୫ ବର୍ଷ ବୟସରେ ହିଜବୁଲ ମୁଜାହିଦ୍ଦିନରେ ଯୋଗ ଦେଇଥିଲା । ତଥାକଥିତ ଭାବେ ସେନା ଦ୍ୱାରା ତା’ ଭାଇର ଅପମାନ କାରଣରୁ ସେ ଆତଙ୍କବାଦୀ ପାଲଟି ଥିବା କୁହାଯାଏ ।

 

Leave a Reply