ଏଲଓସିରେ ପାକିସ୍ତାନର ମେଗା ପ୍ଲାନ୍

1 min read

ଜମ୍ମୁ ଓ କାଶ୍ମୀର: ସତ ହେଲା ଗୁଇନ୍ଦା ବିଭାଗର ସତର୍କ ସୂଚନା । ଭାରତ ବିରୋଧରେ ପାକିସ୍ତାନ ଚଳାଇଛି ମେଗା ପ୍ଲାନ୍ । ସୀମାରେ ୩ ଆତଙ୍କବାଦୀଙ୍କୁ ଭାରତୀୟ ଯବାନ ଏନକାଉଣ୍ଟର କରିବା ପରେ ଗୁଇନ୍ଦା ବିଭାଗର ତଥ୍ୟ ସତ ହେଉଛି ।

ସୂଚନାଯୋଗ୍ୟ, ଜାମ୍ମୁ ଓ କାଶ୍ମୀରର ଉରି ନିକଟ୍ ଏଲଓସିରେ ୩ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ କରିଥିଲେ । ଯାହା ଭାରତୀୟ ସୀମାରେ ଲାଗିଥିବା ଇଲେକ୍ଟ୍ରୋନିକ ସର୍ଭେଲାନ୍ସ ମେସିନ ଜରିଆରେ ଜଣାପଡ଼ି ଯାଇଥିଲା । ଏହାପରେ ଭାରତୀୟ ସୁରକ୍ଷାବାହିନୀ ଆକ୍ସନରେ ଆସିଥିଲେ ଓ ଏନକାଉଣ୍ଟରରେ ସମସ୍ତଙ୍କ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଆତଙ୍କବାଦୀମାନେ ଉରି ସେକ୍ଟରର କାମଲକୋଟ ଅଞ୍ଚଳସ୍ଥିତ ମାଦିଆନ ନାନକ ପୋଷ୍ଟ ନିକଟରେ ଅନୁପ୍ରବେଶ କରୁଥିବା ଠାବ କରାଯାଇଥିଲା ।

ତେଣେ ଜାମ୍ମୁ ଓ କାଶ୍ମୀର ବାରମୁଲ୍ଲାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ପାକିସ୍ତାନ ନିଜ ଦେଶରେ ଥିବା ଅନେକ ଆତଙ୍କବାଦୀ ଶିବିର ଓ ଲଞ୍ଚ ପ୍ୟାଡକୁ ଏଲଓସି ନିକଟକୁ ପଠାଇବାରେ ଲାଗିଛି । ସୀମାରୁ ଅଳ୍ପ କିଛି ଦୂରରେ ଏହି କ୍ୟାମ୍ପ ଓ ଲଞ୍ଚ ପ୍ୟାଡ ପ୍ରତିଷ୍ଠା କରାଯାଇଥିବା ଗୁଇନ୍ଦା ସୂତ୍ରରୁ ତଥ୍ୟ ମିଳିଛି । ଭାରତରେ ଅନୁପ୍ରବେଶ ବଢ଼ାଇବା ଲକ୍ଷ୍ୟରେ ପାକିସ୍ତାନ କରିଛି ଏହି ଯୋଜନା । ଆତଙ୍କବାଦୀ ସଂଗଠନ ଲସକର-ଏ- ତଏବା, ଜୈସ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ସଂଗଠନର ବିଭିନ୍ନ ଶିବିର ଏଲଓସିରେ ପ୍ରତିଷ୍ଠା ହୋଇଥିବା ସୂଚନା ମିଳିଛି । ଗୁଇନ୍ଦା ସୂତ୍ରରୁ କୁହାଯାଇଛି, ଭାରତରେ ପ୍ରବେଶ କରିବା ଲାଗି ତିଆରି କରାଯାଇଛି ଏକାଧିକ ଏଣ୍ଟ୍ରି ପଏଣ୍ଟ । ଅନୁପ୍ରବେଶ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ମଧ୍ୟରେ ଆଇଏସଆଇ ତାଲିମପ୍ରାପ୍ତ ଆତଙ୍କବାଦୀ ଅଛନ୍ତି । ଏପରିକି ପାକିସ୍ତାନ ୩୦୦ରୁ ଅଧିକ କ୍ଷୁଦ୍ର ଅସ୍ତ୍ରଶସ୍ତ୍ର ଡ୍ରୋନ ଜରିଆରେ ଶ୍ରୀନଗର ଆଖପାଖରେ ପକାଇଥିବା ସୂଚନା ମିଳିଛି । ଶ୍ରୀନଗରରେ ଲସକର ଓ ଜୈସର ୫୦ ବିଦେଶୀ ଆତଙ୍କବାଦୀ ପ୍ରବେଶ କରିସାରିଥିବା କୁହାଯାଇଛି ।