ବାଇକ୍ ସାଇଡ ମରାକୁ କେନ୍ଦ୍ରକରି ଯୁବକଙ୍କ ଉନ୍ମତକାଣ୍ଡ

ଭଦ୍ରକ: ବାଇକ୍ ସାଇଡ ମରାକୁ କେନ୍ଦ୍ରକରି ଯୁବକଙ୍କ ଉନ୍ମତକାଣ୍ଡ । ଫଟୋ ଲ୍ୟାବ ଭିତରେ ପଶି ମାଲିକଙ୍କ ପୁଅକୁ ଛୁରୀ ଭୁସିଲା ଯୁବକ । ଭଦ୍ରକ ଟାଉନ ଥାନା ଅଧିନସ୍ଥ ବାଇପାସ୍ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଆଜି ଅପରାହ୍ନରେ ସାବିତ୍ରୀ କଲର ଲ୍ୟାବ୍ କାମ କରୁଥିବା ଜଣେ ପିଲା ଗାଡ଼ି ନେଇ ଆସୁଥିବା ବେଳେ ଅନ୍ୟ ଜଣେ ଯୁବକ ତାଙ୍କୁ ଗାଡି ସାଇଟ କରିବାକୁ କହିଥିଲା ।  ସେ ମଧ୍ୟ ସଙ୍ଗେ ସଙ୍ଗେ ଗାଡି ସାଇଟ କରିଥିଲେ ।  କିନ୍ତୁ ଯୁବକ ଜଣଙ୍କ ତାଙ୍କୁ ପାଟି କରିବା ସହିତ ପଛେ ପଛେ ଲ୍ୟାବ ପାଖକୁ ଆସିଥିଲା । ଏଥିରେ ଲ୍ୟାବ ମାଲିକଙ୍କ ପୁଅ ରାଜ ଭାରତ କ୍ରାନ୍ତି ପଚାରିବାରୁ ସେହି ଯୁବକ ଜଣଙ୍କ ତାଙ୍କୁ ହଠାତ ପାଖରେ ରଖିଥିବା ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣକୁ ପାଖରେ ଥିବା ପିଲା ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ଫେରାର ହୋଇ ଯାଇଥିଲା ଅଭିଯୁକ୍ତ ଯୁବକ । ଛୁରାମାଡ଼ରେ ରାଜଙ୍କୁ ଗୁରୁତର ଭାବେ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।