ଋଷ ଅସ୍ତ୍ରାଗାରରେ ଭୟଙ୍କର ବିସ୍ଫୋରଣ, ୟୁକ୍ରେନ ମିସାଇଲ ମାଡ଼ରେ ଡିପୋ ଜଳି ଯାଇଥିବା ସନ୍ଦେହ

କିଭ୍: ଋଷର ସାମରିକ ଡିପୋରେ ବ୍ଲାଷ୍ଟ । ୟୁକ୍ରେନ ସୀମା ପାର୍ଶ୍ବବର୍ତ୍ତୀ ଋଷର ବେଲଗୋରଡ ସହର ନିକଟରେ ଥିବା ଅସ୍ତ୍ରାଗାରରେ ବିସ୍ଫୋରଣ ହୋଇଛି । ଏନେଇ ସୂଚନା ଦେଇଛନ୍ତି ସ୍ଥାନୀୟ ଗଭର୍ନର । ଋଷର ସାମିରିକ ଡିପୋରେ ହୋଇଥିବା ବିସ୍ଫୋରଣରେ କେହି ମୃତାହତ ହୋଇନାହାନ୍ତି । କିନ୍ତୁ ଏହି ବିସ୍ଫୋରଣରେ ଋଷର ଅନେକ ଅସ୍ତ୍ରଶସ୍ତ୍ର ଧ୍ବଂସ ହୋଇଯାଇଛି । ୟୁକ୍ରେନର ବାଲିଷ୍ଟିକ୍ ମିସାଇଲ ମାଡ଼ରେ ଅସ୍ତ୍ରାଗାର ଜଳିଯାଇଥିବା ସନ୍ଦେହ କରାଯାଉଛି ।

ଚଳିତ ମାସରେ ୟୁକ୍ରେନ ପକ୍ଷରୁ ବେଲଗୋରଡସ୍ଥିତ ଋଷର ତୈଳ ଡିପୋରେ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଥିଲା ଋଷ । ଏହା ସହ ହେଲିକପ୍ଟର ଯୋଗେ କେତେକ ଗ୍ରାମରେ ନିଆଁ ଲଗାଇ ଦିଆଯାଇଥିବା କୁହାଯାଇଥିଲା । ସେପଟେ ୟୁକ୍ରେନକୁ ସହଯୋଗ କରୁଥିବାରୁ ନାଟୋ ଦେଶ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭ୍ଲାଦିମିର ପୁଟିନ୍ । ପୋଲାଣ୍ଡ ଓ ବୁଲଗେରିଆକୁ ଗ୍ୟାସ ଓ ତୈଳ ରପ୍ତାନୀ ଉପରେ ମସ୍କୋ ରୋକ ଲଗାଇଛି । ଯୁଦ୍ଧ ଆରମ୍ଭରୁ ପୋଲାଣ୍ଡ ଖୋଲାଖୋଲି ଭାବେ ୟୁକ୍ରେନକୁ ସମର୍ଥନ କରୁଥିବା ବେଳେ ଚଳିତ ସପ୍ତାହରେ ୟୁକ୍ରେନକୁ ଯୁଦ୍ଧ ଟ୍ୟାଙ୍କ ପଠାଇବାକୁ ଘୋଷଣା କରିଥିଲା ।