ସ୍ବାବଲମ୍ବୀ କରିଛି ଟେରାକୋଟା କୁଟୀର ଶିଳ୍ପ
1 min readନନ୍ଦିଘୋଷ ବ୍ୟୁରୋ: ରୋଜଗାର ଦେଉଛି ଟେରାକୋଟା ଶିଳ୍ପ। ବାଲେଶ୍ବର ଜିଲ୍ଲା ରୂପସା ଅଞ୍ଚଳର ମହିଳାମାନେ ସ୍ବୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ଟେରାକୋଟା ଶିଳ୍ପରୁ ଭଲ ରୋଜଗାର କରୁଛନ୍ତି। ଚା’ କପ୍, କୁମ୍ପି ତିଆରି କରି ସ୍ଵାବଲମ୍ବୀ ହୋଇପାରିଛନ୍ତି। ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ରେଳ ବିଭାଗ, ଭୂବନେଶ୍ବରର ବିଭିନ୍ନ ସୋ-ରୁମରେ ବିକ୍ରି ହେଉଛି। ସାମଗ୍ରୀ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ମହିଳା।
ମହିଳାଙ୍କ ହାତରେ ମେସିନ୍ । ବିଲରୁ ସଂଗ୍ରହ କରାଯାଇଥିବା କାଦୁଅ ଗୁଳାକୁ ମେସିନରେ ପକାଇ ତିଆରି କରାଯାଉଛି ଚା’ କପ୍ । ଆଉ ସେହି କଞ୍ଚା କପ୍କୁ ସୁଖାଇବା ପରେ ଭାଟିରେ ପୋଡ଼ି ବଜାରରେ ବିକ୍ରି ପାଇଁ ପ୍ରସ୍ତୁତ କରାଯାଉଛି । ସେହିପରି ଛାଞ୍ଚରେ ପ୍ରସ୍ତୁତ ଚାଲିଛି ସଞ୍ଚୟ ଖୁମ୍ପି । କେବଳ ସେତିକି ନୁହେଁ । ଘର ସଜାଇବା ସାମଗ୍ରୀ ଠାରୁ ଆରମ୍ଭକରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବାଲେଶ୍ବର ଜିଲ୍ଲା ରୂପସା ଅଞ୍ଚଳର ନୀଳମାଧବ ଉତ୍ପାଦକ ଗୋଷ୍ଠୀ ପ୍ରସ୍ତୁତ କରୁଛନ୍ତି । ପ୍ରତିଦିନ ମହିଳାମାନେ ଏହି ସଂଘ ଘରେ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ଆଉ ସହଯୋଗୀଙ୍କ ମାଧ୍ୟମରେ ବିଭିନ୍ନ ସ୍ଥାନକୁ ବିକ୍ରି ପାଇଁ ପଠାଇଥାନ୍ତି । ଏହି ଟେରାକୋଟା ସାମଗ୍ରୀର ବଜାରରେ ଭଲ ଚାହିଦା ରହିଥିବାରୁ ମାସକୁ ୫ ହଜାର ଟଙ୍କା ପର୍ଯ୍ଯନ୍ତ ପ୍ରତି ମହିଳା ରୋଜଗାର କରିପାରୁଛନ୍ତି ।
୨୦୧୪ ମସିହାରେ କସିପଦାରେ ୨୧ ଜଣ ମହିଳା ମିଶି ନୀଳମାଧବ ଉତ୍ପାଦକ ଗୋଷ୍ଠୀ ଗଠନ କରିଥିଲେ । ବ୍ୟାଙ୍କରେ ପୁଞ୍ଜି ସଞ୍ଚୟକରି ଛୋଟ ଛୋଟ ବ୍ୟବସାୟ କରିବା ସହିତ ବିଭିନ୍ନ ସାମଗ୍ରୀ ଉତ୍ପାଦନ କରୁଥିଲେ । ପରବର୍ତ୍ତୀ ସମୟରେ ପାରମ୍ପରିକ ହାଣ୍ଡି, ମାଠିଆ ବ୍ୟତୀତ ବଜାରରେ ଚାହିଦା ଥିବା ସାମଗ୍ରୀ ପ୍ରସ୍ତୁତି ପାଇଁ ଓରମାସ ତରଫରୁ ମହିଳା ମାନଙ୍କ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ୨୦୨୧ ମସିହାରେ ସରକାରଙ୍କ ସହଭାଗିତାରେ ପ୍ରଥମ ପର୍ଯ୍ୟାୟରେ ୨ ଲକ୍ଷ ୪ ହଜାର ଟଙ୍କା ଓ ପରବର୍ତ୍ତି କିସ୍ତିରେ ୧ ଲକ୍ଷ ୫୦ ହଜାର ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା । ସେହି ଟଙ୍କାରେ ଅତ୍ଯାଧୁନିକ ମେସିନ କିଣି ମହିଳାମାନେ ବିଭିନ୍ନ ସାମଗ୍ରୀ ତିଆରି କରିବା ଆରମ୍ଭ କରିଥିଲେ । ମହିଳାମାନେ ପ୍ରତିଦିନ ସକାଳେ ୨ ଘଣ୍ଟା ଓ ଅପରାହ୍ନରେ ୨ ଘଣ୍ଟା ସମୟ ଦେଇ ମାଟିରେ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ପ୍ରତି ମାସରେ ୩୬ ହଜାର ଚା କପ୍ ସାଙ୍ଗକୁ ବିଭିନ୍ନ ପ୍ରକାରର ସାମଗ୍ରୀ ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।