ବଢ଼ିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ହାର୍ଭାର୍ଡ ୟୁନିଭର୍ସିଟି ମଧ୍ୟରେ ବିବାଦ
1 min read
ନନ୍ଦିଘୋଷ ବ୍ୟୁରୋ: ବଢ଼ିଲା ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ହାର୍ଭାର୍ଡ ୟୁନିଭର୍ସିଟି ମଧ୍ୟରେ ବିବାଦ । ୟୁନିଭର୍ସିଟିକୁ ପ୍ରଦାନ କରାଯାଉଥିବା ପାଣ୍ଠି ଉପରେ ରୋକ ଲଗାଯିବା କାରଣକୁ ନେଇ ଟ୍ରମ୍ପଙ୍କ ବିରୋଧରେ ଗତ ୨୧ ତାରିଖରେ ମାସାଚୁସେଟେସ ଫେଡରାଲ କୋର୍ଟରେ ମାମଲା ଦାୟର କରିଛନ୍ତି ୟୁନିଭର୍ସିଟି କର୍ତ୍ତୃପକ୍ଷ । ରୁଜୁ ହୋଇଥିବା ମାମଲାରେ ଶିକ୍ଷା, ସ୍ବାସ୍ଥ୍ୟ, ନ୍ୟାୟ, ଶକ୍ତି, ସାଧାରଣ ପ୍ରଶାସନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି । ଇହୁଦି ବିରୋଧୀ ଚିନ୍ତାଧାରା ପ୍ରସଙ୍ଗରେ ଦୁଇ ପକ୍ଷ ମଧ୍ୟରେ ବିବାଦ ଜାରି ରହିଥିବାବେଳେ ୟୁନିଭର୍ଟିସିଟି ବଜେଟ, କର ଛାଡ ଷ୍ଟାଟସ ଓ ବିଦେଶୀ ଛାତ୍ର ଗ୍ରହଣ ଆଦି କ୍ଷେତ୍ରରେ ନିୟମ ଅନୁପାଳନ ଲାଗି ନିର୍ଦ୍ଦେଶ ଦେଇଥିଲେ ଟ୍ରମ୍ପ । ମାତ୍ର ଏହା ପାଳନ ନ ହେବାରୁ କ୍ଷୁବ୍ଧ ହୋଇଛି ଟ୍ରମ୍ପ ପ୍ରଶାସନ ।
ଟ୍ରମ୍ପଙ୍କ ଏହି ପଦକ୍ଷେପ ଏକଛତ୍ରବାଦର ନିଦର୍ଶନ ବୋଲି କୁହାଯାଇଛି । ୟୁନିଭର୍ସିଟିର ଆଡମିସନ, ହାୟାରିଂ ପ୍ରକ୍ରିୟା ଓ ରାଜନୈତିକ ବିଚାରଧାରା ସମ୍ପର୍କରେ ଟ୍ରମ୍ପ ପ୍ରଶାସନ ଜାରି କରିଥିବା ନିର୍ଦ୍ଦେଶନାମାକୁ ଅଗ୍ରାହ୍ୟ କରିବା ପରେ ୟୁନିଭର୍ସିଟିକୁ ମିଳିବାକୁ ଥିବା ୨ ଦଶମିକ ୨ ବିଲିୟନ ଡଲାରର ଅନୁଦାନ ଉପରେ ରୋକ୍ ଲଗାଇଥିଲେ ସରକାର । ଗତ ଏପ୍ରିଲ ୧୧ ତାରିଖରେ ହ୍ବାଇଟହାଉସ ପକ୍ଷରୁ ଟ୍ରମ୍ପ ପ୍ରଶାସନର ସର୍ତ୍ତାବଳୀକୁ ପଠାଯାଇଥିଲା । ମାତ୍ର ୟୁନିଭର୍ସିଟି କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରି ନଥିଲେ । ସେପଟେ ଅନୁଦାନ ବାତିଲ ନିଷ୍ପତ୍ତିକୁ ଯଥାର୍ଥ କହିଛି ଟ୍ରମ୍ପ ପ୍ରଶାସନ । ସଂଖ୍ଯାଲଘୁଙ୍କ ସୁରକ୍ଷା ସଂକ୍ରାନ୍ତ ନୀତିକୁ ସରକାର ଗୁରୁତ୍ବ ଦେବେ ବୋଲି ପ୍ରଶାସନ କହିଛି । ଇସ୍ରାଏଲ-ଗାଜା ଯୁଦ୍ଧ ପରେ ଆମେରିକାର ବିଭିନ୍ନ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଇହୁଦି ବିରୋଧୀ ଆନ୍ଦୋଳନ ହୋଇଥିଲା ।
ଏହି ଆନ୍ଦୋଳନଗୁଡିକୁ ହାର୍ଭାର୍ଡ ସମେତ ଅନେକ ବିଶ୍ବିବିଦ୍ୟାଳୟ ଦମନ କରିଥିଲେ । ହାର୍ଭାର୍ଡ ଏବେ ଜୋକରେ ପରିଣତ ହୋଇଛି ଏବଂ ବିଦ୍ବେଷ ଓ ବୋକାମି ଭାବନାର ଶିକ୍ଷା ଦେଉଛି ବୋଲି କହିଥିଲେ ଟ୍ରମ୍ପ । ସେପଟେ ୟୁନିଭର୍ସିଟିର ବିଭିନ୍ନ କାର୍ଯ୍ୟକଳାପର ତଦନ୍ତ ବି ଆରମ୍ଭ ହୋଇଛି । ତେଣେ ସାମ୍ବିଧାନିକ ଅଧିକାର ସହ ସାଲିସ କରାଯିବ ନାହିଁ ବୋଲି କହିଛନ୍ତି ୟନିଭର୍ସିଟି କର୍ତ୍ତୃପକ୍ଷ । ହାର୍ଭାର୍ଡର ମୋଟ ଛାତ୍ରଛାତ୍ରୀ ସଂଖ୍ଯାରୁ ୨୭.୨ ପ୍ରତିଶତ ହେଉଛନ୍ତି ବିଦେଶୀ । ଟ୍ରମ୍ପଙ୍କ କଟକଣା ପରେ ୟୁନିଭର୍ସିଟିରେ ବିଦେଶୀ ଛାତ୍ର ନାମ ଲେଖାଇବା ନେଇ ଉପୁଜିପାରେ ସମସ୍ୟା । ୟୁନିଭର୍ସିଟି ପକ୍ଷରୁ ଦାୟର ମାମଲାରେ କୁହାଯାଇଛି କ୍ୟାମ୍ପସରେ ଇହୁଦିବିରୋଧୀ ମତବାଦ ଓ ପାତରଅନ୍ତରକୁ ୟୁନିଭର୍ସିଟି ଅଗ୍ରାହ୍ୟ କରିଛି ।