ଓଡ଼ିଶା ଉପରେ ପଡ଼ୋଶୀ ଆଖି, ସଂକଟରେ ଓଡ଼ିଶା ସୀମା ଓ ଓଡ଼ିଆ ଭାଷା

ନନ୍ଦିଘୋଷ ବ୍ୟୁରୋ: ବାରମ୍ବାର କହି କହି ମଧ୍ୟ ସୀମା ବିବାଦର ସମାଧାନ ନେଇ କିଛି ପଦକ୍ଷେପ ନିଆଗଲା, ନା ଭାଷାର ସୁରକ୍ଷା ପାଇଁ । ରାଜ୍ୟ ସରକାରଙ୍କ ଏଭଳି ଉଦାସୀନ ମନୋଭାବ ପରେ ଏବେ ଉତ୍କଳ ସମ୍ମିଳନୀ ନିଜେ ବିଭିନ୍ନ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି । ଏସବୁ ବିଷୟରେ ଆଲୋଚନା ପାଇଁ ବାରମ୍ବାର ଦାବି ସତ୍ତ୍ବେ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ସମୟ ଦେଲେ ନାହିଁ। ଯାହାକୁ ନେଇ ଘୋର ସମ୍ମିଳନୀ ଅସନ୍ତୋଷ ଝାଡିଛି । ସେପଟେ ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର କରିବାକୁ ସମୟ ଅଛି କିନ୍ତୁ ଓଡ଼ିଶା ଓ ଓଡ଼ିଆଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୟ ନାହିଁ କହି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଜନ ସଂଗଠନ।

ରାଜ୍ଯ ସରକାରଙ୍କ ଓଡିଆ ଅସ୍ମିତା ପ୍ରୀତି କେତେ ତାହା ଦିନକୁ ଦିନ ପ୍ରମାଣିତ ହେବାରେ ଲାଗିଛି । ଓଡ଼ିଶାର ସୁରକ୍ଷା ପାଇଁ କାମ କରିବେ କଣ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା କରିବାକୁ ବି ମୁଖ୍ୟମନ୍ତ୍ରୀ ସମୟ ଦେଲେ ନାହିଁ। ବାରମ୍ବାର ଉଦ୍ୟମ ପରେ, ଶେଷରେ ସଂକଟରେ ଥିବା ଓଡ଼ିଶାର ସୀମା ଓ ଭାଷା ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି ଉତ୍କଳ ସମ୍ମିଳନୀ। ରାଜ୍ୟର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଓଡ଼ିଆରେ ହେଉନାହିଁ ସରକାରୀ କାର୍ଯ୍ୟ । ସରକାରୀ ନିଷ୍ପତ୍ତି ପାଳନରେ ମଧ୍ୟ ନିଷ୍ଠାପରତା ଦେଖାଯାଉନାହିଁ। ଓଡ଼ିଶାର ପାଣି, ଖଣି ଉପରେ ନଜର ପକାଉଛନ୍ତି ପଡ଼ୋଶୀ ରାଜ୍ୟ। ଜଙ୍ଗଲ, ଜଳ, ଜମି, ଖଣି ଆଦିର ସୁରକ୍ଷା କରିବା ରାଜ୍ୟ ସରକାରଙ୍କ ଦାୟିତ୍ଵ । ସରକାର ଫେଲ୍ ମାରିଲେ ସାଧାରଣ ଲୋକ ଏହାକୁ ହାତକୁ ନେବେ । ସୀମା ସୁରକ୍ଷା ପାଇଁ ଉତ୍କଳ ସମ୍ମିଳନୀର ସୀମାନ୍ତ ଜିଲ୍ଲା ଶାଖାର ସୀମାନ୍ତ ସୁରକ୍ଷା ବାହିନୀ କାର୍ଯ୍ୟ କରିବେ । ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ପାଇଁ ଓକିଲ ମାନଙ୍କୁ ନିୟୋଜିତ କରିବା ସହିତ ଓକିଲ ଓ ନ୍ୟାୟାଧୀଶଙ୍କ ମଧ୍ୟରେ ବୈଠକ କରାଇବାକୁ ଯୋଜନା ରହିଛି । ପଡ଼ୋଶୀରେ କୋର୍ଟ କାର୍ଯ୍ୟ ତାଙ୍କ ନିଜ ଭାଷାରେ ହେଉଛି, ଓଡ଼ିଶାରେ କାହିଁକି ଏହା ହୋଇପାରିବ ନାହିଁ ବୋଲି ପ୍ରଶ୍ନ ଉଠାଇଛି ଉତ୍କଳ ସମ୍ମିଳନୀ।

ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଗୁଡ଼ିକ ପ୍ରତି ରାଜ୍ୟର ବିଜେପି ସରକାର ଆଦୌ ଧ୍ୟାନ ନ ଦେବାକୁ ନେଇ ବର୍ଷିଛନ୍ତି ଜନ ସଂଗଠନ। ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଲେ ।  କିନ୍ତୁ ଏବେ ଓଡ଼ିଶାର ସ୍ୱାର୍ଥକୁ ବିଜେପି ସରକାର ଉପେକ୍ଷା କରି ଚାଲିଛି  । ମୁଖ୍ୟମନ୍ତ୍ରୀ କେବଳ ଦିଲ୍ଲୀ ଗସ୍ତ, ଦଳୀୟ କାର୍ଯ୍ୟ, ଝାଡ଼ଖଣ୍ଡ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ବୋଲି ବଡ଼ ଅଭିଯୋଗ ଆଣିଛି ପରିଷଦ। ଓଡ଼ିଶାର ସ୍ୱାର୍ଥକୁ ସୁରକ୍ଷା ଦେବାକୁ ସରକାରଙ୍କ ପାଖରେ ସମୟ ନାହିଁ । ରାଜ୍ୟବାସୀ ସରକାରଙ୍କୁ କେବେ କ୍ଷମା ଦେବେନାହିଁ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। କୋଟିଆଠାରୁ ଆରମ୍ଭ କରି ଓଡ଼ିଶା ସୀମାରେ ପଡ଼ୋଶୀ ରାଜ୍ୟର ଅନୁପ୍ରବେଶ, ପୋଲାଭରମ ଓ ମହାନଦୀ ଭଳି ପ୍ରସଙ୍ଗରେ ଓଡ଼ିଶା ପ୍ରତି ଅନ୍ୟାୟ ବଢ଼ି ଚାଲିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉନାହିଁ ରାଜ୍ୟ ବିଜେପି ସରକାର । ଯାହାକୁ ନେଇ ବଡ଼ ଅସନ୍ତୋଷ ଦାନା ବାନ୍ଧୁଛି।