ଚିନ୍ତା ବଢାଇଲାଣି ଡେଙ୍ଗୁ, ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୨୪୭ ଆକ୍ରାନ୍ତ ଚିହ୍ନଟ

ନନ୍ଦିଘୋଷ ବ୍ୟୁରୋ: ବର୍ଷା ଲାଗିରହିବା ଯୋଗୁଁ ବଢୁଛି ମଶାବଂଶ । ଗାଁ ଗାଁରେ ଏବେ ଅନେକ ଲୋକଙ୍କୁ ଜ୍ବର । ନମୁନା ପରୀକ୍ଷା ପରେ ବାହାରୁଛି ଡେଙ୍ଗୁ । ତେଣୁ ଆତଙ୍କିତ ଖୋର୍ଦ୍ଧା ଅଞ୍ଚଳବାସୀ । ପ୍ରଶାସନର ଅବହେଳା ଯୋଗୁଁ ଏଡିସ୍ ମଶାଙ୍କ ପ୍ରାଦୁର୍ଭାବ ବଢିଥିବା ଲୋକେ ଅଭିଯୋଗ କରିଛନ୍ତି । ସେପଟେ ଅବହେଳାକୁ ପୌର ଉପାଧ୍ଯକ୍ଷ ସ୍ବୀକାର କରିଥିବାବେଳେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ରାଉରକେଲାରେ ଅଧିକ ରୋଗୀ ଚିହ୍ନଟ ପରେ ଆରମ୍ଭ ହୋଇଛି ମିଳିତ ସଚେତନତା ଓ ସଫେଇ।

ଗଦା ହୋଇ ରହିଛି କୁଢ କୁଢ ଅଳିଆ । ପାଣି କାଦୁଅରେ ପଚପଚ ରାସ୍ତା । ଖୋର୍ଦ୍ଧା ଅଞ୍ଚଳରୁ ଆସିଛି ଏଭଳି ଖବର । ଏପରି ପରିବେଶ ଯୋଗୁଁ ଏବେ ଗାଁ ଗାଁରେ ବ୍ଯାପିଛି ଜ୍ବର । ନମୁନା ପରୀକ୍ଷା ପାଇଁ ହସପିଟାଲରେ ଲାଗୁଛି ଲମ୍ବା ଲାଇନ । ଆଉ ପରୀକ୍ଷା ପରେ ଚିହ୍ନଟ ହେଉଛନ୍ତି ଡେଙ୍ଗୁ ରୋଗୀ । ବର୍ତ୍ତମାନ ସୁଦ୍ଧା ସରକାରୀ ରିପୋର୍ଟ ଅନୁସାରେ ଭୁବନେଶ୍ବରକୁ ଛାଡ଼ି କେବଳ ଖୋର୍ଦ୍ଧା ଜିଲ୍ଲାରେ ୨୪୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ଆଉ ଏଥିପାଇଁ ପ୍ରଶାସନର ଅବହେଳାକୁ ଦାୟି କରିଛନ୍ତି ଲୋକେ । ଡେଙ୍ଗୁ ମୁକାବିଲା ପାଇଁ ପୌର ପରିଷଦ ପକ୍ଷରୁ ବାରମ୍ବାର ବୈଠକ ହେଉଛି । ହେଲେ ସଚେତନତା ବ୍ଯାନରରେ ରହିଛି ପଦକ୍ଷେପ । ଅଳିଆ ସଫା କରିବା, ମଶା ଧୁଆଁ, ତେଲ ସିଞ୍ଚନ କେବଳ କାଗଜ କଲମରେ ଚାଲିଛି । ଅବହେଳାକୁ ପୌର ଉପାଧ୍ଯକ୍ଷ ସ୍ବୀକାର କରିଥିବାବେଳେ ଖୁବଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ସେପଟେ ରାଉରକେଲାରେ ୧୫୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଇସ୍ପାତ ସହରାଞ୍ଚଳର ବିଭିନ୍ନ ସେକ୍ଟର ଅଞ୍ଚଳରେ ୧୨୭ ରୋଗୀ ଅଛନ୍ତି । ସେକ୍ଟର ୧୬ ସେକ୍ଟର ୧୪, ସେକ୍ଟର ୧୩, ସେକ୍ଟର ୪, ସେକ୍ଟର ୩ ଓ ସେକ୍ଟର ୧ ଅଞ୍ଚଳରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏଥିପାଇଁ ସଚେତନତା ଓ ସଫେଇ କାର୍ଯ୍ୟକୁ ଜୋରଦାର କରାଯାଇଛି । ଆରଏମସି, ଇସ୍ପାତ କାରଖାନା ଓ ସ୍ଵାସ୍ଥ୍ୟ ଵିଭାଗ ପକ୍ଷରୁ ୫ ଟିମ ଗଠନ କରାଯାଇ ସଚେତନତା ଓ ସଫେଇ କାର୍ଯ୍ୟ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୫ ଟି ଟିମରେ ଶହେଜଣ କର୍ମଚାରୀ ସାମିଲ । ଲଗାଣ ବର୍ଷା ଓ ଆବର୍ଜନା ମଶା ବଂଶ ବୃଦ୍ଧିକୁ ସୁହାଇଛି । ତେଣୁ ସ୍ବାସ୍ଥ୍ଯ ବିଭାଗ ପକ୍ଷରୁ ସଚେତନତା ସହ ନମୁନା ପରୀକ୍ଷା ଓ ଚିକିତ୍ସା ବ୍ଯବସ୍ଥା ପାଇଁ ବ୍ଯବସ୍ଥା କରାଯାଇଛି  ।