ବଢିଲା ମୋକିମଙ୍କ ଅଡୁଆ, କଟକ ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲାରେ ଜେରା ଆରମ୍ଭ

1 min read

କଟକ : କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ବିବାଦୀୟ ବୟାନ ପାଇଁ ଦଳ ତାଙ୍କୁ ଏକଘରକିଆ କରିଛି । ଦଳ ପାଇଁ ସେ ଅଲୋଡା ହୋଇପଡିଥିବା ବେଳେ ଏବେ କଟକ ବାରବାଟୀ ନିର୍ବାଚନ ଅନିୟମିତତା ମାମଲା ଘାଣ୍ଟିଲାଣି । ବେଆଇନ ଭାବେ ଜଳାଶୟ ଜମି ପୋତିବାଠାରୁ ଆରମ୍ଭ କରି ଓ.ଆର ଏଚ.ଡି.ସି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଘଟଣାରେ ପାଣି ପିଇଲେଣି ବିଧାୟକ । ୨୦୧୯ ବିଧାନସଭା ନିର୍ବାଚନରେ କରିଥିବା ଅନିୟମିତତା ଏବେ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଅଡୁଆ ଯେମିତି ବିଧାୟକ ମହମ୍ମଦ ମୋକିମଙ୍କ ପିଛା ଛାଡ଼ୁନାହିଁ ।

ସୋମବାରଠାରୁ ଆରମ୍ଭ ହୋଇଛି ନିର୍ବାଚନୀ ଅନିୟମିତତା ମାମଲାରେ ଜେରା ଆରମ୍ଭ ହୋଇଥିବାବେଳେ ବାରବାଟୀ ବିଧାୟକ ହାଇକୋର୍ଟରେ ହାଜର ହୋଇ ଜେରାର ଉତ୍ତର ରଖିଛନ୍ତି  । କୋର୍ଟଙ୍କୁ ଦେଇଥିବା ସତ୍ୟପାଠକୁ ନେଇ ପ୍ରତିପକ୍ଷ ବରିଷ୍ଠ ଆଇନଜୀବୀ ମିଳନ କାନୁନଗୋ ତାଙ୍କୁ ପ୍ରଥମ ଦିନ ଜେରା କରିଛନ୍ତି  । ତେବେ ଜେରା ଅସମ୍ପୂର୍ଣ୍ଣ ରହିଛି  । ପରବର୍ତ୍ତୀ ଜେରା ପାଇଁ କୋର୍ଟ ସେପ୍ଟେମ୍ବର ୨୧କୁ ତାରିଖ ଧାର୍ଯ୍ୟ କରିବା ସହିତ ସେଦିନ କୋର୍ଟ ପୁରା ସମୟ ଜେରା ଶୁଣିବେ ବୋଲି ମୋକିମଙ୍କୁ ରୋକଠୋକ ଶୁଣାଇ ଦେଇଛନ୍ତି  । ବିଭିନ୍ନ କାରଣରୁ ଏହି ମାମଲାଟିର ଶୁଣାଣି ବିଳମ୍ବିତ ହୋଇଥିବା କୋର୍ଟ ଅନୁଭବ କରିଛନ୍ତି  । ମୋକିମ ମଧ୍ୟ କଳେବଳେ କେସଟିକୁ ବିଳମ୍ବ କରିବା ପାଇଁ ଅପଚେଷ୍ଟା ଜାରି ରଖିଥିବା ଆବେଦନକରି ଦେବାଶିଷ ଅଭିଯୋଗ କରିଆସୁଛନ୍ତି  ।

ଆସନ୍ତୁ ଜାଣିବା ଏହି ନିର୍ବାଚନ ଅନିୟମିତତା କଣ ? 

ମୋକିମଙ୍କ ଗଳାର କଣ୍ଟା ପାଲଟିଛି ନିର୍ବାଚନ ଅନିୟମିତତା । ୨୦୧୯ରେ ବାରବାଟୀ ବିଧାନସଭା ଆସନ ପାଇଁ ଜାତୀୟ କଂଗ୍ରେସ ଦଳରୁ ଇଂଞ୍ଜିନିୟର ମହମ୍ମଦ ମୋକିମ ନୋମିନେସନ ଦଖଲ କରିଥିଲେ  । ଏହି ପକ୍ରିୟାରେ ମୋକିମ ବ୍ୟାପକ ଭାବରେ ଲୋକ ପ୍ରତିନିଧି ଆଇନ ୧୯୫୧ର ଧାରା ୩୧ ଓ ୩୩ର ଉଲ୍ଲଂଘନ କରିଥିଲେ  । ମୋକିମଙ୍କ ପ୍ରଥମ ଭୁଲ ହେଲା ନୋମିନେସନ ପ୍ରେସକ୍ରାଇବ ଫର୍ମ ୨ବିର ବ୍ୟବହାର ପରିବର୍ତ୍ତେ ସ୍ୱପ୍ରସ୍ତୁତ ଫର୍ମରେ ଭରିଥିଲେ ନୋମିନେସନ  । ଯେଉଁଥିରେ ସେ ଫର୍ମର ପାର୍ଟ ଟୁ ସମ୍ପୂର୍ଣ୍ଣ ଓ ପାର୍ଟ ୩-୩ଏର ଆଂଶିକ ଉଚ୍ଛେଦ କରିଦେଇଥିଲେ । ଦ୍ୱିତୀୟ ଭୁଲଟି ହେଲା, ମୋକିମ ଦୁଇ ଏପ୍ରିଲରେ ନୋମିନେସନ ଦାଖଲ କରିଥିବା ବେଳେ ଦେଇଥିବା ସତ୍ୟପାଠରେ ଏହା ୩ ଏପ୍ରିଲ ଥିଲା  । ସେହିପରି ତୃତୀୟ ଭୁଲ ହେଲା,   ମୋକିମ ଦେଇଥିବା ସତ୍ୟପାଠରେ ଉଲ୍ଲେଖ ଥିବା ଅପରାଧୀକ ମାମଲା ଓ ସମ୍ପତ୍ତି ତାଲିକା ମିଥ୍ୟା । ନୋମିନେସନ ସତ୍ୟପାଠରେ ORHDC ସଂସ୍ଥାରୁ ଲୋନ ସମ୍ପର୍କରେ କୌଣସି ତଥ୍ୟ ନଥିବା ହେଉଛି ଚତୁର୍ଥ ଭୁଲ । ଏ ସବୁକୁ ଆଧାର କରି ଦେବାଶିଷ ସାମନ୍ତରାୟ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ନିବେଦନ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ  । ଆଉ ଏବେ ମାମଲା ଅନ୍ତିମ ପର୍ଯ୍ୟୟରେ ପହଁଞ୍ଚିଛି  । କୋର୍ଟରେ ଅନିୟମିତତା ପ୍ରମାଣିତ ହେଲେ ମୋକିମ ତାଙ୍କ ପଦ ହରାଇବା ନିଶ୍ଚିତ ।