ପୁଣି ଅଡ଼ୁଆରେ କଙ୍ଗନା

ନନ୍ଦିଘୋଷ ବ୍ୟୁରୋ: ଅଡୁଆରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ। ତାଙ୍କ ଫିଲ୍ମ ଏମର୍ଜେନସି କୁ ନେଇ  ବିବାଦ ସୃଷ୍ଟି ହୋଇଛି। ଏହି ଫିଲ୍ମରେ ଶିଖମାନଙ୍କ ଭାବନାକୁ ଆଘାତ ଦିଆଯାଇଥିବା ଅଭିଯୋଗ କରାଯାଇଛି। ତେଣୁ ଫିଲ୍ମର ଟ୍ରେଲରକୁ ହଟାଇବାକୁ ସେମାନେ ଦାବି କରିଛନ୍ତି। ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ କମିଟି ଫିଲ୍ମ ନିର୍ମାତାଙ୍କୁ ନୋଟିସ୍ ଦେଇ ଟ୍ରେଲରକୁ ହଟାଇବାକୁ ଦାବି କରିଛନ୍ତି। ଫିଲ୍ମକୁ ବ୍ୟାନ କରିବାକୁ ଏସଜିପିସି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏବଂ ସିବିଏଫସିକୁ ଚିଠି ଲେଖିଛନ୍ତି। ଶିଖମାନଙ୍କ ଆଉ ଏକ ସଂସ୍ଥା ଅକାଳ ତଖତ ମଧ୍ୟ ଫିଲ୍ମ ଉପରେ ବ୍ୟାନ ଲଗାଇବାକୁ ଦାବି କରିଛି। ଏହି ଫିଲ୍ମରେ ଶିଖମାନଙ୍କୁ ପ୍ରତି ଅପମାନ ଦିଆଯାଇଥିବାର ସେମାନେ ଅଭିଯୋଗ କରିଛନ୍ତି। ଶିଖ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି, ଜାଣିଶୁଣି ଶିଖମାନଙ୍କୁ ଭୁଲ ଭାବେ ଚିତ୍ରଣ କରାଯାଇଛି ଫିଲ୍ମରେ। ଏହା ଏକ ବିରାଟ ଷଡ଼ଯନ୍ତ୍ର ଅଟେ। ପୁରା ଫିଲ୍ମଟି ଶିଖ ସମୁଦାୟକୁ ଅପମାନ କରୁଛି। ତେଣୁ ଫିଲ୍ମକୁ ବ୍ୟାନ କରାଯାଉ ବୋଲି ଦାବି କରାଯାଇଛି। ୧୯୭୫ ଜରୁରୀ ପରିସ୍ଥିତିକୁ ନେଇ ବଲିଉଡ୍ ଫିଲ୍ମ ଏମର୍ଜେନସି ନିର୍ମିତ ହୋଇଛି। ଏଥିରେ ମୁଖ୍ୟ ଭୂମିକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଭିନୟ କରିଛନ୍ତି କଙ୍ଗନା ରଣାୱତ। ଫିଲ୍ମକୁ ନେଇ ଏବେ ବିବାଦ ହୋଇଥିବାରୁ କେବେ ଏହା ରିଲିଜ ହେବ, ତାକୁ ନେଇ ଦେଖା ଦେଇଛି ଅନିଶ୍ଚିତତା।