ଜଗତସିଂହପୁର ଓ ପୁରୀ ଜିଲ୍ଲାର ମଧ୍ୟଭାଗରେ ପ୍ରବାହିତ ଦେବୀ ନଦୀ ବନ୍ଧର ଦୁର୍ବଳ, ଭୟଭୀତ ଲୋକେ

ନନ୍ଦିଘୋଷ ବ୍ୟୁରୋ: ଆଗକୁ ଲଗାଣ ବର୍ଷା। ସୃଷ୍ଟି ହୋଇପାରେ ବନ୍ୟାସ୍ଥିତି। ଜଗତସିଂହପୁର ଏବଂ ପୁରୀ ଜିଲ୍ଲାର ମଧ୍ୟଭାଗରେ ପ୍ରଭାହିତ ଦେବୀନଦୀ ବନ୍ଧର ଦୁର୍ବଳ ସ୍ଥାନ ଗୁଡିକ ଭାଙ୍ଗିବା ସମ୍ଭାବନା ରହିଛି । ଏନେଇ ବନ୍ଧ କୂଳରେ ବସବାସ କରୁଥିବା ଶହଶହ ପରିବାରର ଏବେ ଚିନ୍ତାରେ । ଆଉ ସେପଟେ ବନ୍ୟା ଆସିବା ପୂର୍ବରୁ ତୁରନ୍ତ ବନ୍ଧ ମରାମତି କାର୍ଯ୍ୟ ଶେଷ କରିବାକୁ ସ୍ଥାନୀୟ ଲୋକମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ଘର ଦୂଆରେ ବର୍ଷା । ଭାଙ୍ଗିପାରେ ନଦୀ ବନ୍ଧ । ସୃଷ୍ଟି ହୋଇପାରେ ବନ୍ୟା ସ୍ଥିତି । ହେଲେ ପ୍ରଶାସନର ଏଥିପ୍ରତି ଖାତିର ନାହିଁ । କରାଯାଉନି ଘାଇ କି ବନ୍ଧ ମରାମତି । ଦେଖନ୍ତୁ ଏହି ଦୃଶ୍ୟକୁ । କେଉଁଠି ନଦୀ ବନ୍ଧର ମାଟି ଅତଡା ଖସିଲାଣି ତ ଆଉ କେଉଁଠି ଭାଙ୍ଗି ରାସ୍ତାରେ ପାଣି ବୋହିଲାଣି । ଜଗତସିଂହପୁର ଜଳସମ୍ପଦ ବିଭାଗ ଅଧିନ ନାଉଗାଁ ବ୍ଳକର ଓସକଣା ଏବଂ ପୁରୀ ଜିଲ୍ଲାର ଜଳସମ୍ପଦ ଅଧିନ କାକଟପୁର ବ୍ଳକର ଭଣ୍ଡିସାହି ଦେଇ ପ୍ରଭାବିତ ଦେବୀ ନଦୀ ବନ୍ଧରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଓସକଣା ଆଉ ଭଣ୍ଡିସାହି ବନ୍ଧକଡରେ ବସବାସ କରୁଥିବା ୧୦ରୁ ଅଧିକ ଗ୍ରାମବାସୀ ଚିନ୍ତାରେ ପଡିଛନ୍ତି । ନାଉଗାଁ ଓସକଣା ଠାରୁ ଭଣ୍ଡିସାହି ପାଖାପାଖି ଅଢେ କିଲୋମିଟର ରୁ ଉର୍ଦ୍ଧ୍ବ ନଦୀବନ୍ଧ ଦୁର୍ବଳ ରହିଛି।

ଉପକୂଳବର୍ତ୍ତି ସମତଳ ଅଞ୍ଚଳକୁ ନଦୀ ସ୍ରୋତ ଖାଇ ଚାଲିଥିବାରୁ ଏହା ସ୍ଥାନୀୟ ଅଂଚଳ ବାସୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି ।  ନିର୍ମାଣଧୀନ ପଥର ବୁରୁଜ ଗୁଡିକ ନଦୀର ସ୍ରୋତରେ ଭାଷି ଯିବାରୁ ନଦୀପଠାକୁ ସୁରକ୍ଷା ଦେବା ଉପରେ ଆଶଙ୍କା ସୃଷ୍ଟି ହୋଇଛି । ଫଳରେ ବନ୍ୟା ସ୍ଥିତି ସୃଷ୍ଟି ହେବା ପୂର୍ବରୁ ଜଗତସିଂହପୁର ଏବଂ ପୁରୀ ଜିଲ୍ଲାର ଓସକଣା ଠାରୁ ଭଣ୍ଡିସାହି ପର୍ଯ୍ୟନ୍ତ ଦେବୀ ନଦୀବନ୍ଧର ତୁରନ୍ତ ମରାମତି କରାଯିବାକୁ ଦାବି ହୋଇଛି ।