ସୋସିଆଲ ମିଡିଆରେ ଭାଇରାଲ ହେଉଛି ତମ୍ବୁରେ ତିଆରି ପାକିସ୍ତାନ ଆଇସୋଲେସନ କ୍ୟାମ୍ପ

ନୂଆଦିଲ୍ଲୀ: ସାରା ବିଶ୍ୱ ଏବେ କରୋନା ପାଇଁ ସଚେତନ । ଏହି ଭାଇରସରୁ ନିଜକୁ ଦୂରେଇ ରଖିବା ପାଇଁ ସରକାର ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି । ଏହା ସହ ଜନସାଧାରଣ ମଧ୍ୟ ଭାଇସରକୁ ନେଇ ଖୁବ ସଚେତନ । କରୋନା ସଂକ୍ରମିତ ଦେଶ ଗୁଡ଼ିକରେ ସରକାର ଆଇସୋଲେସନ ରୁମ ତିଆରି କରିଛନ୍ତି ଯେଉଁଥିରେ ଭାଇସର ଦ୍ୱାରା ସଂକ୍ରମିତ ରୋଗୀ ମାନଙ୍କୁ ଚିକିତ୍ସା କରାଯାଇପାରିବ ।

ତେବେ କରୋନାଭାଇରସ୍ ସଂକ୍ରମଣରେ ପାକିସ୍ତାନ ଏହାର ଏକ ବୃହତ୍ ଦିନିକିଆ ସ୍ପାଇକ୍ ରେକର୍ଡ କରିଛି । ଯାହା ୧୮୪ କୁ ପହଞ୍ଚିଛି । ଅକାମି କ୍ୱାରେଣ୍ଟାଇନ ପ୍ରକ୍ରିୟା ରିପୋର୍ଟ ହେତୁ ୧୮୪ ସଂକ୍ରମିତ ମଧ୍ୟରୁ ୧୩୪ ଜଣ ଦେଶର ଟାଫଟନ୍ ସୀମା କ୍ରସିଂରେ ଏକ କ୍ୱାରେଣ୍ଟାଇନ କ୍ୟାମ୍ପରେ ରହୁଥିବା ସୂଚନା ମିଳିଛି ।

ସରକାରୀ ତଥ୍ୟ ଅନୁଯାୟୀ ପାକିସ୍ତାନରେ କରୋନାଭାଇରସ୍ କାରଣରୁ କୌଣସି ମୃତ୍ୟୁ ରେକର୍ଡ ହୋଇନାହିଁ। ତେବେ କରୋନା ସଂକ୍ରମିତ ମାନଙ୍କୁ ସଠିକ ଡାକ୍ତରୀ ଚିକିତ୍ସା ଦେବା ବଦଳରେ ପାକିସ୍ତାନରେ ସଂକ୍ରମିତ ମାନେ ତମ୍ବୁ ଭିତରେ ରହୁଛନ୍ତି । ଗୋଟେ ତମ୍ବୁରେ ରହୁଛନ୍ତି ପାଞ୍ଚ ଜଣ । ନା ଠିକରେ ଖାଇବାକୁ ମିଳୁଛି ନା ଅଛି ଗାଧୋଇବାର ସୁବିଧା । କପଡ଼ାରେ ତିଆରି ଛୋଟ ଛୋଟ ତମ୍ବୁରେ ଶୌଚ କରୁଛନ୍ତି ଲୋକେ ।

ମାର୍ଚ୍ଚ ୩ ରେ ତମ୍ବୁକୁ ଅଣାଯାଇଥିବା ଜଣେ କରୋନା ସଂକ୍ରମିତଙ୍କ କହିବା ଅନୁଯାୟୀ, ‘ଆମେ ତମ୍ବୁରେ ଶୋଇଛୁ, ପାଞ୍ଚ ଜଣ ଲୋକ ଗୋଟିଏ ତମ୍ବୁରେ ଅଛନ୍ତି କାରଣ ଏଠାରେ ଜାଗା ଅଭାବ ରହିଛି। ପର୍ଯ୍ୟାପ୍ତ ବାଥରୁମ କିମ୍ବା ପର୍ଯ୍ୟାପ୍ତ ଜଳ ନାହିଁ। କରୋନା ସ୍କ୍ରିନିଂ ପାଇଁ ସିଷ୍ଟମ ଦାବି କରିଥିବାବେଳେ ସେଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଔଷଧ ମଧ୍ୟ ଯୋଗାଇ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ଲୋକେ ।’

ତମ୍ବୁରେ ଅସୁବିଧାର ସାମ୍ନା ହେଉଥିବା ସଂକ୍ରମିତ ମାନଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଧାଡ଼ିରେ ତମ୍ବୁ ଗୁଡ଼ିକ ରହିଛି । ଦିନରେ ଲୋକେ ଖରାରେ ସିଝୁଥିବା ବେଳେ ରାତିରେ ଥଣ୍ଡା ପବନରେ ଲୋକେ ହନ୍ତସନ୍ତ ହେଉଛନ୍ତି । ସକାଳେ ଠିକ ଭାବରେ ଜଳଖିଆ ମିଳୁନାହିଁ । ଶିଶୁ ଏବଂ ମହିଳା ମାନେ ଏଥିରେ ଅଧିକ ହଇରାଣ ହେଉଥିବା ଦେଖିବାକୁ ମିଳୁଛି ।

 

 

 

Leave a Reply