କୁକୁଡ଼ା ଫାର୍ମକୁ ନେଇ ବଢ଼ୁଛି ସମସ୍ୟା, ଦୁର୍ଗନ୍ଧରେ ଫାଟି ପଡ଼ୁଛି ଗାଁ

Jajpur

ଯାଜପୁର: କୁକୁଡ଼ା ଫାର୍ମକୁ ନେଇ ବଢ଼ୁଛି ସମସ୍ୟା । କୁକୁଡା ଫାର୍ମର ଦୁର୍ଗନ୍ଧରେ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ । ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବ୍ଲକଠାରୁ ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

ଜନବସତି ମଧ୍ୟରେ କୁକୁଡା ଫାର୍ମ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପାଇକରାପୁର ଗାଁରେ ଥିବା କୁକୁଡା ଫାର୍ମକୁ ନେଇ ଏବେ ଲୋକଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଦୁଇ ବର୍ଷ ହେଲା ସ୍ଥାନୀୟ ଅଞ୍ଚଳରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏଥିରେ ନାକେଦମ ହେଲେଣି ଲୋକେ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହ ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି ହୋଇଛି ।

ପାଇକରାପୁରରେ ଏହି କୁକୁଡ଼ା ଫାର୍ମଟି ଜନବସତିଠାରୁ ମାତ୍ର ୫ଶହ ମିଟର ଦୂରରେ ରହିଛି । ଦୁର୍ଗନ୍ଧ ପାଇଁ ପିଲାଙ୍କ ଠାରୁ ବୟସ୍କ ଓ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏନେଇ ବ୍ଲକ ଠାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଲୋକେ । ସେପଟେ ସ୍ଥାନୀୟ ତହସିଲଦାର ଜାଣିବା ପରେ ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଦେଖିବା ବାକି ରହିଲା ଲୋକଙ୍କ ସମସ୍ୟା କେବେ ସମାଧାନ ହେଉଛି ।

Leave a Reply