ବୀରମିତ୍ରପୁରରେ ହାଜତ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା… ଥାନା ଘେରିଲେ ଶତାଧିକ ଲୋକ

ବୀରମିତ୍ରପୁର: ସୁନ୍ଦରଗଡ଼ ଜିୁଲ୍ଲା ବୀରମିତ୍ରପୁର ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ନେଇ ଉତ୍ତେଜନା ସୃଷ୍ଟି ହୋଇଛି । କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଘେରିଛନ୍ତି ଶତାଧିକ ଲୋକ । ସୂଚନା ଅନୁଯାୟୀ ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କ ଅପହରଣ ଘଟଣାରେ ଗତକାଲି ଧରାପଡ଼ିଥିବା ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଛି। ମୃତ ଯୁବକ ଵୀରମିତ୍ରପୁର ଅଞ୍ଚଳର ମହମ୍ମଦ ତାରିକ୍‌ ଅଟନ୍ତି । ତେବେ ଅପହରଣସ୍ଥଳରେ ତଦନ୍ତ ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ତାରିକ । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ କୁଆଁରମୁଣ୍ଡା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ।

ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୁନ୍ଦରଗଡ଼ ଏସ୍‌ପି କହିଛନ୍ତି । ମୃତଦେହ ରାଉରକେଲା ସରକାରୀ ଡାକ୍ତରଖାନାରେ ରଖାଯାଇଛି । ତେବେ ହାଜତ ମୃତ୍ୟୁ ଅଭିଯୋଗରେ ବୀରମିତ୍ରପୁରରେ ଉତ୍ତେଜନା ପ୍ରକାଶ ପାଇଛି । ମୃତ୍ୟୁର କାରଣ ନେଇ ତଦନ୍ତ କରିବାକୁ ଦାବି ହୋଇଛି ।  ସୁନ୍ଦରଗଡ଼ ଏସପି ସାଗରିକା ନାଥଙ୍କ ସୂଚନା ଅନୁଯାୟୀ ଅପହରଣସ୍ଥଳରେ ତଦନ୍ତ ବେଳେ ଅଭିଯୁକ୍ତ ଜଣଙ୍କ ଅସୁସ୍ଥ ଅନୁଭବ କରୁଥିବା ଅଭିଯୋଗ କରିଥିଲେ । ତେଣୁ ତାଙ୍କୁ ତୁରନ୍ତ କୁଆଁରମୁଣ୍ଡା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପରେ ତାଙ୍କ ରକ୍ତଚାପ ହ୍ରାସ ହୋଇଯାଇଥିବା ଡାକ୍ତର କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହି ଘଟଣାରେ କୌଣସି ହାଜତ ମୃତ୍ୟୁ ହୋଇନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ଏହି ମୃତ୍ୟୁ ପଛରେ କାରଣ କଣ ଅଛି ବୋଲି ଦାବି କରି ସ୍ଥାନୀୟ ବାସିନ୍ଦା ବୀରମିତ୍ରପୁର ଥାନା ଘେରାଉ କରିଛନ୍ତି । ଘଟଣାର ସଠିକ ତଦନ୍ତ ହେଉ ବୋଲି ଶତାଧିକ ଲୋକ ଦାବି କରି ଥାନା ଘେରାଉ କରିଛନ୍ତି । ଉତ୍ତେଜନାକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମୃତ ମହମ୍ମଦ ତାରିକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ କିନ୍ତୁ ସ୍ଥାନୀୟ ବାସିନ୍ଦା ମୃତ୍ୟୁ ଖବର ପାଇ ଥାନା ଘେରାଉ କରିଛନ୍ତି ।

ଅପହୃତ ବୀରମିତ୍ରପୁର ଅଞ୍ଚଳର ବ୍ୟବସାୟୀ ପ୍ରଦୀପ କୁଣ୍ଡୁଙ୍କୁ ପୋଲିସ ଗତ ୧୧ ତାରିଖ ଉଦ୍ଧାର କରିଥିଲା । ଅପହରଣକାରୀଙ୍କୁ ଧରିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଗତକାଲି ପୋଲିସ ହାତରେ ଧରାପଡିଥିଲା ମହମ୍ମଦ ତାରିକ ।

Leave a Reply