ରାଜ୍ୟ କଂଗ୍ରେସରେ ଟିକେଟ ଟେନସନ, ପ୍ରଗମନ ଆପ ଆବେଦନ ଚୟନରେ କେଁ

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ପୁଣି ଟିକେଟ୍ ଟେନସନ । ପ୍ରଗମନ ଆପରେ ଆବେଦନରୁ ଚୟନ ପ୍ରକ୍ରିୟାରେ କେଁ । ବହୁ ହେଭିଓ୍ବେଟ୍ ନେତା ପ୍ରଗମନ ଆପରେ ଟିକେଟ ଆବେଦନ କରି ନଥିବାରୁ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ବଙ୍କ ଚିନ୍ତା ବଢ଼ିଛି । ବରିଷ୍ଠ ନେତାଙ୍କ ମତ, ବିଜୟ ସମ୍ଭାବନା ଦେଖି ପ୍ରାର୍ଥୀ ଚୟନ ହେବ, ପ୍ରଗମନ ଆପ୍ କେବଳ ଏକ ପ୍ରୟାସ । ଅନ୍ୟପଟେ ସୁର ଓ ପ୍ରସାଦଙ୍କ ଭଳି ବହୁ ବରିଷ୍ଠ ନେତା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଟିକେଟ ବଣ୍ଟନ ପୂର୍ବରୁ ଘୋଷଣା କରିଛନ୍ତି । ଯାହା ହାତ ଶିବିରକୁ ଉଷ୍ମ କରିଛି ।

ସୁର ଦୋହରାଇଲେ ଲଢ଼ିବେନି । ବିଧାନସଭା ନିର୍ବାଚନ ଲଢ଼ିବାକୁ ଶରତ ରାଉତ ନାରାଜ । ବଦଳିବ କି କଂଗ୍ରେସର ଟିକେଟ ଚୟନ ପ୍ରକ୍ରିୟା ? ସମୟ ସରିଗଲା; କିନ୍ତୁ ଟିକେଟ୍ ଆବେଦନ କରିନାହାନ୍ତି କଂଗ୍ରେସର ହେଭିଓ୍ବେଟ୍ ନେତା । ଓଡ଼ିଶାରେ ଆଗୁଆ ଟିକେଟ ବଣ୍ଟନ ପାଇଁ କଂଗ୍ରେସ ହାଇକମାଣ୍ଡ ପ୍ରଗମନ ଆପ୍ ଜରିଆରେ ପ୍ରାର୍ଥୀ ଚୟନ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବିଡ଼ମ୍ବନାର ବିଷୟ, ଦଳର ଆଗଧାଡ଼ିର ନେତାମାନେ ପ୍ରଗମନ ଆପରେ ଟିକେଟ ଆବେଦନ କରିନାହାନ୍ତି । ଯାହାକୁ ନେଇ ହାତ ଶିବିରରେ ଟେନସନ ବଢ଼ିଛି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ଯୁକ୍ତି ହେଉଛି, ପ୍ରଗମନ ଆପ୍ ଟିକେଟ ଚୟନର ଏକମାତ୍ର ମାପଦଣ୍ଡ ନୁହେଁ । ଏଆଇସିସି  ସମ୍ପାଦକ ଶରତ ରାଉତ ବି ସମାନ ଯୁକ୍ତି ବାଢ଼ିଛନ୍ତି । ଏହାସହ ୨୦୨୪ ନିର୍ବାଚନରେ ସେ  ବିଧାନସଭା ନୁହେଁ, ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହୀ ବୋଲି ଶରତ କହିଛନ୍ତି ।

ପ୍ରଗମନ ଆପରେ ବିଧାୟକ ପାଇଁ ୩ ହଜାର ଓ ସାଂସଦ ପଦ ପାଇଁ ୭୦୦ ଆଶାୟୀ ଆବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରିବା ପାଇଁ ରାଜ୍ୟ କଂଗ୍ରେସ ମଙ୍ଗୁଆଳ ଓଡ଼ିଶାରୁ ଦିଲ୍ଲୀ ଯାଏଁ କସରତ ଜାରି ରଖିଛନ୍ତି । ହେଲେ ହେଭିଓ୍ବେଟ ନେତାମାନେ ଟିକେଟ ଆବେଦନ କରି ନଥିବାରୁ ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟା ବଦଳାଇବା ଆରମ୍ଭ କରିଥିବା ନେତା କହୁଛନ୍ତି । ଅନ୍ୟପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଦୋହରାଇଛନ୍ତି । ତାଙ୍କ ପୁଅକୁ ଦଳୀୟ ଟିକେଟ ନମିଳିଲେ, ପୁଅକୁ ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଛାଡ଼଼ିବେ ବୋଲି କହିଛନ୍ତି । ଅନ୍ୟପଟେ ବହୁଦିନ ପରେ କଂଗ୍ରେସକୁ ଫେରିଥିବା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା କେଉଁଠୁ ନିର୍ବାଚନ ଲଢ଼ିବେ, ତାହା ଜାଣି ନଥିବା କହିଛନ୍ତି ।

୨୦୨୪ରେ ୯ରୁ ୯୦ ମିଶନର ନାରା ଦେଇଥିବା କଂଗ୍ରେସ ପାଇଁ ଦିନକୁ ଦିନ ଟିକେଟ ଅଡୁଆ ବଢୁଛି । ତେଣୁ ପ୍ରଗମନ ନୁହେଁ, ପାରମ୍ପରିକ ଢାଞ୍ଚାରେ ଯେ ଦଳ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ଆପଣାଇବ, ତାହା ଜଳଜଳ ଦିଶିଲାଣି ।